ପରଲୋକରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ, ଓଡିଶା ରାଜନୀତିରେ ଥିଲେ ପରିଚିତ ଚେହେରା

କଟକ : ଆରପାରିରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କମଳା ଦାସ। ରାଜ୍ୟ ରାଜନୀତିରେ ପରିଚିତ ଚେହେରା ପାଲଟିଥିବା ବିଶିଷ୍ଟ ରାଜନେତ୍ରୀଙ୍କ ଦେହାନ୍ତ। ୭୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସେ।
କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଗତକାଲି ରାତି ୧୨ଟା ୧୫ ମିନିଟରେ ଚିକିତ୍ସାଧୀନ ଅବସ୍ଥାରେ କମଳା ଦାସଙ୍କର ପରଲୋକ ହୋଇଛି। ଦୀର୍ଘ ଦିନ ହେବ ଫୁସଫୁସ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେକମଳା । ଗତ ଦୁଇ ସପ୍ତାହ ତଳେ ସେ ଭୁବନେଶ୍ୱର ସହିଦନଗର ସ୍ଥିତ ବାସଭବନରେ ଅସୁସ୍ଥ ହେବା ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ତାଙ୍କୁ ନିଆଯାଇଥିଲା। ଏହାପରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକ ସୂଚନା ଦେଇଛନ୍ତି।
ବାଲେଶ୍ୱରକୁ ଓଡିଶା ରାଜନୀତିରେ ପରିଚୟ ଦେବା ପଛରେ ପ୍ରମୁଖ ଚେହେରା ଥିଲେ କମଳା ଦାସ। ବାଲେଶ୍ବର ଜିଲ୍ଲା ଭୋଗରାଇର ତିନି ଥରର ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର କମଳା ଦାସ। ୧୬ ଅଗଷ୍ଟ ୧୯୪୫ ମସିହାରେ ଜନ୍ମ ଗ୍ରହଣ କରିଥିଲେ କମଳା । ୧୯୯୦ ମସିହାରୁ ଆରମ୍ଭ ହୋଇଥିଲା ରାଜନୈତିକ ଜୀବନ। ପ୍ରଥମଥର ପାଇଁ ସେ ଜନତା ଦଳ ଟିକେଟ୍ରୁ ବିଧାନସଭା ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟ ମଧ୍ୟ ହୋଇଥିଲେ। ଏହାପରେ ସେ ୧୯୯୫-୨୦୦୦ ମସିହାରେ ମଧ୍ୟ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।
କମଳା ଉଭୟ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଶିଶୁ ବିକାଶ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗରେ କ୍ୟାବିନେଟ୍ ମନ୍ତ୍ରୀ ପଦ ସମ୍ଭାଳିଥିଲେ । ରାଜନୀତିରେ ସବୁବେଳେ ସକ୍ରିୟ ରହୁଥିଲେ କମଳା। ଯାହା ଦାୟିତ୍ୱ ମିଳୁଥିଲା ତାକୁ ସୁଚାରୁ ରୂପେ ସମ୍ପାଦନ କରୁଥିଲେ। ଲୋକଙ୍କ ସହିତ ଯୋଡି ହେଇ ରହୁଥିବା ନେତ୍ରୀ ଥିଲେ କମଳା। ବିଜୁ ଜନତା ଦଳର ଗଠନ ପରେ ସେ ବିଜେଡ଼ିରେ ଯୋଗ ଦେଇଥିଲେ। ପରେ ବିଜେଡ଼ି ଛାଡ଼ି ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ୨୦୧୪ ମସିହାରେ ପୁଣି କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗ ଦେଇଥିଲେ।