ଏଥର ବାଲେଶ୍ଵରରେ ଡବଲ ଶଙ୍ଖ, ଜିତିବା ନେଇ ଦୃଢୋକ୍ତି ବାଢିଲେ ଲେଖାଶ୍ରୀ

ବାଲେଶ୍ୱର : ବାଲେଶ୍ୱର ଲୋକସଭା ମୈଦାନରେ ବିଜେଡି ଯୋଦ୍ଧା ବିଜେପି ଛାଡି ବିଜେଡିରେ ମିଶିଥିବା ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ପ୍ରାର୍ଥୀତ୍ୱ ଉପରେ ମୋହର ମାରିଛି ବିଜେଡି। ଏଥର ବାଲେଶ୍ଵରରେ ବିଗ ଫାଇଟ ହେବ । ସାଂସଦ ପ୍ରତାପ ଷଡ଼ଙ୍ଗୀ ବନାମ ଲେଖାଶ୍ରୀ ସାମନ୍ତ ସିଂହାର। ଗତଥର ବିଜେପିରୁ ପ୍ରତାପ ଲଢ଼ିଥିଲେ ବିଜେଡିର ରବୀନ୍ଦ୍ର ଜେନାଙ୍କୁ ହରାଇଥିଲେ। ଆସନ୍ତୁ ନଜର ପକାଇବା ବାଲେଶ୍ୱର ରାଜନୈତିକ ଗଣିତ କଣ କହୁଛି। ୨୦୧୯ ରେ ବାଲେଶ୍ୱର ଆସନହାତେଇ ଥିଲା ବିଜେପି।
ପ୍ରତାପ ୨୦୧୯ରେ ୪୧.୭୯ ପ୍ରତିଶତରେ ୪ଲକ୍ଷ ୮୩ ହଜାର ୮୫୮ ଭୋଟ ପାଇ ଜିତିଥିଲେ। ସେହିଭଳି ରବୀନ୍ଦ୍ର ଜେନା ୪୦.୬୨ ପ୍ରତିଶତରେ ୪ ଲକ୍ଷ ୭୦ହଜାର ୯୦୨ ଭୋଟ ପାଇଥିଲେ। ବିଜୟ ବ୍ୟବଧାନ ଥିଲା ୧୨ହଜାର ୯୫୬।
ତେବେ ୨୦୧୪ ରେ ବିଜେଡିର ରବୀନ୍ଦ୍ର ଜେନା ୪୧.୩୩ପ୍ରତିଶତରେ ୪ଲକ୍ଷ ୩୩ହଜାର ୭୬୮ ଭୋଟ ପାଇ ଜିତିଥିଲେ। ସେତେବେଳେ ମଧ୍ୟ ପ୍ରାର୍ଥୀ ଥିଲେ ପ୍ରତାପ ଷଡ଼ଙ୍ଗୀ। ସେ ୨୭.୮୧ପ୍ରତିଶତରେ ୨ଲକ୍ଷ ୯୧ ହଜାର ୯୪୩ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଶ୍ରୀକାନ୍ତ ଜେନା ୨୬.୪୪ ପ୍ରତିଶତରେ ୨ଲକ୍ଷ ୭୭ ହଜାର ୫୧୭ ଭୋଟ ପାଇଥିଲେ। ଏଥର ମଧ୍ୟ ବିଜେପିରୁ ପ୍ରତାପ ଷଡ଼ଙ୍ଗୀ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ଆସି ବିଜେଡିରେ ଯୋଗ ଦେଇଥିବା ଲେଖାଶ୍ରୀ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ବିଜେଡିରେ ମିଶିବା ପରେ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଦଳ ପୁରସ୍କାର ଦେଇଛି । ବାଲେଶ୍ବର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଟକ୍କର ଦେବେ ଲେଖାଶ୍ରୀ
ବିଜେଡି ବାଲେଶ୍ୱରରୁ ଲେଖାଶ୍ରୀଙ୍କ ନାଁ ଘୋଷଣା କରିବା ପରେ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, କାଲି ଯାଏ ସେ ଯାହାଙ୍କୁ ଗାଳି କରୁଥିଲେ, ଆଜି ତାଙ୍କ ସ୍ତବ କରୁଛନ୍ତି। ଏଠି ସେ ଆମର ସାଥୀ ଥିଲେ, ଏବେ ବିରୋଧୀ ପକ୍ଷ ହୋଇଛନ୍ତି। ନବୀନଙ୍କ ଦୁର୍ନୀତି ବିରୋଧରେ ଓ ମୋଦିଙ୍କ ସଫଳତା ନେଇ ଲଢ଼ିବୁ। ବିଜେଡି କଳା ଟଙ୍କା, ଖଣି, ପାଣି, ଚିଟ୍ଫଣ୍ଡ ଟଙ୍କାରେ ନିର୍ବାଚନ ଲଢ଼ିବ। କଂଗ୍ରେସ ଏଯାଏଁ ଏହି ଆସନ ପାଇଁ ତା’ର ପ୍ରାର୍ଥୀ ଘୋଷଣା କରି ନାହିଁ। କୁହାଯାଉଛି କଂଗ୍ରେସ ଶ୍ରୀକାନ୍ତ ଜେନାଙ୍କୁ ଏଠାରୁ ପ୍ରାର୍ଥୀ କରିପାରେ।