ପୁଣି ଦବଙ୍ଗଗିରି ଦେଖାଇଲେ ଚିଲିକା ବିଧାୟକ,କାର୍ଯ୍ୟରତ ସାମ୍ୱାଦିକଙ୍କୁ କଲେ ଆକ୍ରମଣ

ଖୋର୍ଦ୍ଧା: ପୁଣି ଦାଦାଗିରି ଦେଖାଇଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ। ବିବାଦକୁ ନେଇ ଚର୍ଚ୍ଚାରେ ରହୁଥିବା ପ୍ରଶାନ୍ତ ପୁଣି ଆଉ ଏକ ବିବାଦରେ ଫସିଛନ୍ତି। ଜଣେ କାର୍ଯ୍ୟରତ ସାମ୍ୱାଦିକଙ୍କୁ ଆକ୍ରମଣ କରି ବିବାଦୀୟ ହୋଇପଡିଛନ୍ତି ପ୍ରଶାନ୍ତ ଜଗଦେବ। ଜଙ୍କିଆ ଥାନାରେ ଏ ନେଇ ତାଙ୍କ ନାଁରେ ଏତଲା ହେବା ପରେ ପୁଲିସ ମାମଲା ରୁଜୁ କରିଛି। ଘଟଣା ଘଟିଛି ଟାଙ୍ଗୀ ବ୍ଲକ ଛଣଗିରି ଗାଁରେ । ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ ପ୍ରଶାନ୍ତ ଜଗଦ୍ଦେବ ପ୍ରଚାର ମଇଦାନରେ ଥିଲେ। ଏହି ସମୟରେ ଉଭୟଙ୍କୁ ବିରୋଧ କରିଥିଲେ ଗ୍ରାମବାସୀ । ଏମିତିକି ରାଲି ବେଳେ ପ୍ରଶାନ୍ତଙ୍କ ସହ ଗାଁ ଲୋକଙ୍କ ହାତାହାତି ହୋଇଥିଲା।ଏହି ଘଟଣାକୁ କ୍ୟାମେରାରେ କଏଦ କରୁଥିଲେ ସାମ୍ବାଦିକ।ଭିଡିଓ ଭାଇରଲ ହେବା ଭୟରେ ପ୍ରଶାନ୍ତ ସାମ୍ବାଦିକଙ୍କୁ ଆକ୍ରମଣ କରିବାକୁ ପଛେଇ ନଥିଲେ। ଅପମାନିତ ହେବା ପରେ ଦୃଶ୍ଯ ଭାଇରାଲ ହେବା ଭୟରେ ସାମ୍ବାଦିକଙ୍କ ମୋବାଇଲ ଛଡାଇ ନେଇଥିଲେ ପ୍ରଶାନ୍ତ ଜଗଦ୍ଦେବ।ଏଇ ଘଟଣାରେ ପ୍ରଶାନ୍ତଙ୍କ ବିରୁଦ୍ଧରେ ଥାନାରେ ଏତଲା ଦିଆଯାଇଛି।ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ମାମଲା ରୁଜୁ କରିଛି।
ଏଭଳି ବିବାଦରେ ଫସିବା ପ୍ରଶାନ୍ତଙ୍କ ପାଇଁ କିଛି ନୂଆ କଥା ନୁହେଁ।
୨୦୨୨ ମାର୍ଚ୍ଚ ମାସ ୧୨ ତାରିଖରେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇବା ଘଟଣାରେ ବିଧାୟକ ଶ୍ରୀଜଗଦ୍ଦେବ ବିବାଦୀୟ ହୋଇପଡ଼ିଥିଲେ। ଏହି ମାମଲାରେ ପୋଲିସ ତାଙ୍କୁ ଗିରଫ କରିଥିଲା। ବିଧାୟକଙ୍କ ଗାଡ଼ି ଧକ୍କାରେ ପୁଲିସଙ୍କ ସମେତ ୨୦ଜଣ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ବିଧାୟକଙ୍କୁ ମାଡ଼ ମାରିବାରୁ ସେ ଆହତ ହୋଇଥିଲେ। ଚିକିତ୍ସା ପରେ ମାର୍ଚ୍ଚ ୨୨ ତାରିଖରେ ପୁଲିସ ବିଧାୟକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ସୁପ୍ରିମକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇଲା ପରେ ଶ୍ରୀ ଜଗଦ୍ଦେବଙ୍କୁ ବାଣପୁର ଜେଏମ୍ଏଫ୍ସି କୋର୍ଟ ଜାମିନ ପ୍ରଦାନ କରିଥିଲେ। ଜାମିନ ପାଇବାପରେ ସେ ୨୦୨୨ ଜୁଲାଇ ୨୬ ତାରିଖରେ ବାଣପୁର ସବ୍ଜେଲ୍ରୁ ସେ ବାହାରିଛନ୍ତି। ଏକବର୍ଷ ପର୍ଯ୍ୟନ୍ତ ନିଜ ନିର୍ବାଚନମଣ୍ଡଳୀରେ ରହିପାରିବେନାହିଁ ବୋଲି ସୁପ୍ରିମକୋର୍ଟ ସର୍ତ୍ତ ଆରୋପ କରିଥିଲେ।
ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଶାନ୍ତଙ୍କ ଏଭଳି କାରନାମାକୁ ନେଇ ଚିନ୍ତାରେ ଦଳୀୟ କର୍ମୀ ଓ ନେତା। ଖୋର୍ଦ୍ଧାରେ ବିଧାନସଭା ଆସନ ପ୍ରାର୍ଥିତ୍ବ ହାସଲ ପାଇଁ ଗତ କିଛି ଦିନ ହେଲା ବିଜେପି ଦୁଇ ଫାଳ ହୋଇଯାଇଛି । ପ୍ରଶାନ୍ତ ଜଗଦ୍ଦେବଙ୍କୁ ସାଂସଦ ପ୍ରାର୍ଥୀ ଅପରାଜିତା ପ୍ରମୋଟ କରୁଥିବାରୁ ଏହାର ତୀବ୍ର ବିରୋଧ କରି ବାରମ୍ବାର ଶକ୍ତି ପ୍ରଦର୍ଶନ କରିଆସୁଛନ୍ତି ଅନ୍ୟ ଆଶାୟୀ ପ୍ରାର୍ଥୀ।