ନିର୍ବାଚନ ଲଢ଼ିବା ନେଇ ବାଟ ଫିଟିଲା: ବିଜେପିରୁ ଲଢ଼ି ପାରନ୍ତି ଦିଲ୍ଲୀପ ରାୟ

ଭୁବନେଶ୍ୱର: ସାମୟିକ ଭାବେ ହଟିଲା ଅଦାଲତି ଅଙ୍କୁଶ। ଏଥର ଲଢ଼ିପାରିବେ ନିର୍ବାଚନ। ୧୯୯୯ରକୋଇଲା ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କୁ ଆଶ୍ବସ୍ତି ମିଳିଛି। ସିବିଆଇ କୋର୍ଟଙ୍କ ରାୟ ଉପରେ ରହିତାଦେଶ ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟ।
କୋଲ୍ ସ୍କାମ ମାମଲାରେ ତଳକୋର୍ଟ ଦ୍ବାରା ହୋଇଥିବା ୩ ବର୍ଷ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି ଦିଲ୍ଲୀ ହାଇକୋର୍ଟ। ୨୦୨୪ ସାଧାରଣ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାକୁ ତଳକୋର୍ଟ ଦଣ୍ଡାଦେଶକୁ ସ୍ଥଗିତ ରଖିବାକୁ ଦିଲ୍ଲୀପ ରାୟ ହାଇକୋର୍ଟରେ ଅପିଲ କରିଥିଲେ।
୧୯୯୯ ଝାଡ଼ଖଣ୍ଡର ଗିରିଡ଼ିହର ଏକ କୋଇଲା ବ୍ଲକ କାଷ୍ଟ୍ରନ ଟେକ୍ନୋଲୋଜିକୁ ମିଳିଥିଲା। ଏଥିରେ ଅନିୟମିତତା ଅଭିଯୋଗ ହେବାପରେ ଏହି ମାମଲାର ତଦନ୍ତ ସିବିଆଇ କରିଥିଲା। ସିବିଆଇ ଚୂଡ଼ାନ୍ତ ରିପୋର୍ଟରେ ଦିଲ୍ଲୀପ ରାୟଙ୍କ ସମେତ ଅନ୍ୟ ୫ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଥିଲା। ସିବିଆଇ ରିପୋର୍ଟ ଆଧାରରେ ଦିଲ୍ଲୀର ଟ୍ରାଏଲ କୋର୍ଟ ଅକ୍ଟୋବର ୬, ୨୦୨୦ରେ ଦିଲ୍ଲୀପଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ଲକ୍ଷ ଟଙ୍କା ଜରିମାନା ଏବଂ ୩ବର୍ଷ କାରାଦଣ୍ଡ ଶୁଣାଇଥିଲେ। ଟ୍ରାଏଲ କୋର୍ଟ ଦଣ୍ଡାଦେଶ ସ୍ଥଗିତ ରଖିବାକୁ ହାଇକୋର୍ଟ ଯାଇଥିଲେ ଦିଲ୍ଲୀପ।
ସେପଟେ ଦିଲ୍ଲୀପ ରାୟ ବିଜେପି ଟିକେଟ୍ରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ଜୋରଦାର ଚର୍ଚ୍ଚା ହେଉଛି। ରାଉରକେଲା ଆସନ ହେଉଛି ଦିଲ୍ଲୀପ ରାୟଙ୍କ ପାରମ୍ପରିକ ସିଟ୍। ତେବେ ରାଉରକେଲାରୁ ବିଜେଡି ଓ କଂଗ୍ରେସ ନିଜ ନିଜ ପ୍ରାର୍ଥୀ ଦେଇ ସାରିଛି।ବିଜେପି ଏବେ ବି ରାଉରକେଲାରୁ କାହାକୁ ବି ଓହ୍ଲାଇନି । ତେଣୁ ଚର୍ଚ୍ଚା ହେଉଛି କି ଦିଲୀପ ରାଉରକେଲାରୁ ପ୍ରାର୍ଥୀ ହୋଇପାରନ୍ତି।
ଦିଲ୍ଲୀପଙ୍କ ରାଜନୈତିକ କ୍ୟାରିୟରକୁ ତର୍ଜମା କରିବା ସହ ହାଇକୋର୍ଟ ସମସ୍ତ ପକ୍ଷର ଯୁକ୍ତି ଶୁଣିଥିଲେ। ତିନି ବର୍ଷ ଜେଲ ଦଣ୍ଡାଦେଶ କାଏମ ରହିଥିଲେ ଦିଲ୍ଲୀପ ୨୦୨୪ ସାଧାରଣ ନିର୍ବାଚନ ଲଢିବାର ସୁଯୋଗ ହରାଇଥାନ୍ତେ। ସମସ୍ତ ଦିଗକୁ ବିଚାର କରି ହାଇକୋର୍ଟ ତଳକୋର୍ଟର ରାୟକୁ ସ୍ଥଗିତ ରଖିଛନ୍ତି। ଏହା ଫଳରେ ପୂର୍ବତନ ବିଧାୟକ ଦିଲ୍ଲୀପ ରାୟଙ୍କ ନିର୍ବାଚନ ଲଢିବାର ବାଟ ଫିଟିଛି।