thelifelinemedia
Latest Odisha News, Breaking News Today

କଂଗ୍ରେସର ପ୍ରାର୍ଥୀ ଖୋଜା ଟେନସନ: ଟିକେଟ ପାଇଁ ଟଙ୍କା ମାଗୁଛି କଂଗ୍ରେସ, ଶରତଙ୍କ ପାଇଁ ସହଜ ହେଉନି ୨୪ ରଣନୀତି

ଭୁବନେଶ୍ୱର : ୯ରୁ ୯୦ ମିଶନର ସ୍ବପ୍ନ ଦେଖୁଥିବା କଂଗ୍ରେସକୁ ମିଳୁନି ପ୍ରାର୍ଥୀ। କାହାକୁ କେଉଁଠୁ ଟିକେଟ ଦିଆଯିବ ତାକୁ ନେଇ ଟେନସନରେ ରାଜ୍ୟ କଂଗ୍ରେସ। ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା ଜାରି ରହିଛି। ସବୁଠୁ ପଛରେ ପଡି ଯାଇଛି କଂଗ୍ରେସ। 8 ଲୋକସଭା ଏବଂ 47 ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରି ଚୁପଚାପ ବସି ପଡିଛି କଂଗ୍ରେସ। ଟିକେଟ ପାଇଁ କଂଗ୍ରେସ କୁଆଡେ ଟଙ୍କା ମାଗୁଛି ବୋଲି କଥା ସାମ୍ନାକୁ ଆସିଛି। ଯିଏ ଟିକେଟ ମାଗୁଛି ତାଙ୍କୁ ଟଙ୍କା ମଗା ହେଉଛି। ଏମିତି ପରିସ୍ଥିତିରେ ଟିକେଟ ଆଶାୟୀ ଦଳ ଛାଡ଼ୁଛନ୍ତି।

କଂଗ୍ରେସରେ ନେତା ଆମଦାନୀ ହେଉ ନାହାନ୍ତି। ଖାଲି ହେବାରେ ଲାଗିଛି କଂଗ୍ରେସ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ସଂଗଠନକୁ ସୁଦୃଢ଼ ଓ ସଜାଡ଼ିବା ଲକ୍ଷ୍ୟରେ ଶରତ ପଟ୍ଟନାୟକଙ୍କୁ ନିଯୁକ୍ତି ମିଳିଥିଲା। ଦୀର୍ଘବର୍ଷ ଧରି ପ୍ରଦେଶ କଂଗ୍ରେସରେ ଜାରି ରହିଥିବା ‘ଗୋଡ଼ଟଣା ନୀତି’ ଓ ‘ତୀବ୍ର ଗୋଷ୍ଠୀକନ୍ଦଳ’କୁ ଏଡ଼ାଇ ଦଳ ପାଇଁ ସଫଳତା ଆଣିବା ଲକ୍ଷ୍ୟରେ ଶରତଙ୍କୁ ମିଳିଥିଲା ନିଯୁକ୍ତି। ହେଲେ ଦଳ ପୂର୍ବରୁ ଯେମିତି ଥିଲା ଏବେ ବି ସେମିତି ଅଛି।
କଂଗ୍ରେସ ପ୍ରାର୍ଥୀ ତାଲିକାରେ ବିଳମ୍ବ ସୂଚାଉଛି ଯେ ଦଳକୁ ପ୍ରାର୍ଥୀ ମିଳୁନାହିଁ। ଓଡ଼ିଶାରେ ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବାରେ ବିଳମ୍ବ କାହିଁକି କରୁଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଦଳ ନିଜ ସ୍ଥିତିକୁ ସୁଧାରିବା ପାଇଁ ଉପଯୁକ୍ତ ପ୍ରାର୍ଥୀ ଚିହ୍ନଟ କରିବାକୁ ସଂଘର୍ଷ କରୁଛି ବୋଲି ଚର୍ଚ୍ଚା ଜୋର ଧରିଛି। ଯେଉଁଥିପାଇଁ ଶରତ ପଟ୍ଟନାୟକଙ୍କୁ ଦାୟୀ କରିଛନ୍ତି ଦଳୀୟ କର୍ମୀ।

ଅନେକ ହେଭିୱେଟ ନେତା କଂଗ୍ରେସ ଛାଡି ଅନ୍ୟ ଦଳରେ ସାମିଲ ହେଉଛନ୍ତି ଯାହା ଶରତ ପଟ୍ଟନାୟକଙ୍କ ସଭାପତିତ୍ୱ ଉପରେ ପ୍ରଶ୍ନ ଉଠାଉଛି। ଚିରଞ୍ଜୀବ ବିଶ୍ୱାଳ ହୁଅନ୍ତୁ କି ଗଣେଶ୍ୱର ବେହେରା ଅବା ଅଧୀରାଜ ପାଣିଗ୍ରାହୀଙ୍କ ଭଳି ବରିଷ୍ଠ ନେତା କଂଗ୍ରେସ ଛାଡି ବିଜେଡିରେ ମିଶି ସାରିଲେଣି। ଦଳକୁ ସଂଗଠିତ କରିବା ଦୂରର କଥା ଅସନ୍ତୋଷ କର୍ମୀଙ୍କୁ ବୁଝେଇ ପାରୁ ନାହାନ୍ତି ଶରତ। ଦଳକୁ ମ୍ୟାନେଜ କରିବାରେ ଶରତ ପଟ୍ଟନାୟକ ସମ୍ପୂର୍ଣ୍ଣ ଫେଲ ମାରିଛନ୍ତି ବୋଲି ଦଳୀୟ କର୍ମୀ କହିଲେଣି।

ଗତଥର କଂଗ୍ରେସ ସବୁ ଆସନରେ ପ୍ରାର୍ଥୀ ଦେଇନଥିଲା। ଏଥର ମଧ୍ୟ ସେହି ପରିସ୍ଥିତି ହେବାକୁ ଯାଉଛି। ଗତ ଥର ଲୋକସଭା ଆସନରେ ପ୍ରାର୍ଥୀ ଦେଇନଥିଲା କଂଗ୍ରେସ। ବାମଦଳ ସହ ମେଣ୍ଟ କରିଥିଲା।ଏଥର କିନ୍ତୁ ଭୁବନେଶ୍ୱର ପାଇଁ ପ୍ରାର୍ଥୀ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ହେଲେ କିଏ କଂଗ୍ରେସକୁ ପ୍ରାର୍ଥୀ ମିଳୁନି। ଖୋଜା ଚାଲିଛି। କୁହାଯାଉଛି ଏପ୍ରିଲ ଦ୍ୱିତୀୟ ସପ୍ତାହ ବେଳକୁ ବଳକା ପ୍ରାର୍ଥୀ ଘୋଷଣା କରିପାରେ କଂଗ୍ରେସ।

Leave A Reply

Your email address will not be published.