ଶଙ୍ଖ ଧରିଲେ ଗଣେଶ୍ୱର, କେନ୍ଦ୍ରପଡ଼ା ରାଜନୀତିରେ ନୂଆ ସମୀକରଣ

ଭୁବନେଶ୍ୱର : କଂଗ୍ରେସରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଆଜି ବିଜେଡିରେ ମିଶିଛନ୍ତି। ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ବିଧାୟକ ପ୍ରତାପ ଜେନା ଓ ଶଶିଭୂଷଣ ବେହେରା ପ୍ରମୁଖଙ୍କ ଉପସ୍ଥିତିରେ ଗଣେଶ୍ୱର ବେହେରା ତାଙ୍କର ଶତାଧିକ ସମର୍ଥକଙ୍କ ସହିତ ବିଜେଡିରେ ସାମିଲ ହୋଇଛନ୍ତି।
ବିଜେଡିରେ ଯୋଗ ଦେବା ପରେ ସେ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ, ଓଡ଼ିଶାର ବିକାଶରେ ନିଜର ସାମାନ୍ୟତମ ଅବଦାନ ରଖିବା ପାଇଁ ଓ କେନ୍ଦ୍ରାପଡ଼ାର ବିକାଶକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ମୁଁ ବିଜେଡିରେ ସାମିଲ ହୋଇଛି ବୋଲି ଗଣେଶ୍ୱର ବେହେରା କହିଛନ୍ତି। ୨୪ ନିର୍ବାଚନ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏ ନିର୍ବାଚନ ଜିତିବାକୁ ପଡ଼ିବ। ବିଧାନସଭା ଯିବା ଲକ୍ଷ୍ୟ ପୂରଣ ପାଇଁ ଏହି ନିଷ୍ପତ୍ତି ନେଇଛି। କଂଗ୍ରେସରେ ରହି ବିଧାନସଭା ଯିବା ନେଇ ଆଶଙ୍କା ସୃଷ୍ଟି ହେଲା। ସମସ୍ତଙ୍କ ପରାମର୍ଶ ଓ ବହୁ ଆଲୋଚନା ପରେ ଏହି ପଦକ୍ଷେପ ନେଇଛନ୍ତି ବୋଲି ଗଣେଶ୍ୱର କହିଛନ୍ତି।
ସେପଟେ ଗଣେଶ୍ୱର ବେହେରା ବିଜେଡିରେ ମିଶିବା ନେଇ କଂଗ୍ରେସର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଅନେକ ନେତାଙ୍କୁ କଂଗ୍ରେସ ପରିଚୟ ଦେଇଛି। ଗଣେଶ୍ୱର ବେହେରା ମଧ୍ୟ କଂଗ୍ରେସ ଦ୍ଵାରା ପରିଚିତ ବ୍ୟକ୍ତି। କଂଗ୍ରେସ ତାଙ୍କ ପ୍ରତି କୌଣସି ଅନ୍ୟାୟ କରିନି। ତାଙ୍କୁ ନେତା କରିକି କଂଗ୍ରେସ ଛାଡ଼ିଛି। ସେ ଦଳ ଛାଡ଼ି ଯାଇଛନ୍ତି ତେଣୁ ଦଳକୁ ସେ ଅଞ୍ଚଳରେ ସାମୟିକ କ୍ଷତି ହୋଇପାରେ। କିନ୍ତୁ ସେଠି ଅନେକ ମଜବୁତ୍ ନେତା ଥିଲେ ଯେଉଁମାନେ ନ୍ୟାୟ ପାଉନଥିଲେ, କାରଣ ଆମେ ଜଣେ ନେତାଙ୍କୁ ସେଠି ଏଷ୍ଟାବ୍ଲିସ୍ କରିଥିଲୁ। କେନ୍ଦ୍ରାପଡା ଅନେକ ନେତା ଅଛନ୍ତି ଯେଉଁ ମାନେ ଆସିବେ କେନ୍ଦ୍ରାପଡ଼ାରେ ଲୋକଙ୍କ ପାଖକୁ ଯିବେ, ସେବା କରିବେ ଓ ଜନତାଙ୍କ ବିଶ୍ୱାସଭାଜନ ହେବେ। ଯେଉଁମାନେ ବି ଦଳ ଛାଡୁଛନ୍ତି, କଂଗ୍ରେସ କାହା ପ୍ରତି ଅନ୍ୟାୟ କରିନି। ସେମାନେ ନିଜର ବ୍ୟକ୍ତିଗତ ମହତ୍ ଆକାଂକ୍ଷା ଓ ନିଜସ୍ଵ ସ୍ବାର୍ଥ ପାଇଁ ଦଳ ଛାଡିଛନ୍ତି। ବିଜେଡ଼ି ଓ ବିଜେପି ଦଳ ପ୍ରାର୍ଥୀ ପାଉନାହାନ୍ତି ବୋଲି କଂଗ୍ରେସରୁ ନେତା ନେଇ ଟିକେଟ ଦେଉଛନ୍ତି ବୋଲି ରାଜ୍ୟ କଂଗ୍ରେସ କହିଛି।