thelifelinemedia
Latest Odisha News, Breaking News Today

ଦଳଡିଆଁଙ୍କୁ ଟିକେଟ ପକ୍କା , ୧୯ରେ ଶତ୍ରୁ ୨୪ରେ ବନ୍ଧୁ

ଭୁବନେଶ୍ୱର : ଦଳଡେଇଁଲେ ଟିକେଟ ପକ୍କା। ଦଳଡ଼ିଆଁ ନେତାଙ୍କୁ ପ୍ରାଥମିକତା। ଦଳ ଛାଡି ଅନ୍ୟ ଦଳକୁ ଆସିଲେ ଟିକେଟ ମିଳିବା ଥୟ। ରାଜ୍ୟ ରାଜନୀତିରେ ଉଷ୍ମତା ଭରିଛି ଦଳ ଦଳଡିଆ କାର୍ଯ୍ୟକ୍ରମ। ନିର୍ବାଚନ ଆଗକୁ ଅଛି। ବିଭିନ୍ନ ଦଳ ପକ୍ଷରୁ ଅଳ୍ପେ ବହୁତେ ପ୍ରାର୍ଥୀ ଘୋଷଣା ସାରିଲାଣି। ହେଲେ ଦଳଡିଆଁ କାର୍ଯ୍ୟକ୍ରମ ସରୁନି। ନିର୍ବାଚନ ତାରିଖ ଯେତିକି ପାଖଉଛି ସେତିକି ଜୋରଦାର ହେଉଛି ଦଳଡିଆଁ କାର୍ଯ୍ୟକ୍ରମ।
ରାଜନୀତିରେ କେହି ଚିର ଶତ୍ରୁ ନୁହେଁ କି କେହି ସ୍ଥାୟୀ ମିତ୍ର ନୁହେଁ। ଏ କଥାର ଦୃଶ୍ୟପଟ ଦେଖିବାକୁ ମିଳୁଛି ୨୪ ନିର୍ବାଚନରେ। କିଏ କଂଗ୍ରେସ ଛଡିଲାଣି ତ କିଏ ବିଜେପି ପୁଣି ଆଉ କିଏ ଅସନ୍ତୋଷର ନିଆଁରେ ଜଳି ବିଜେଡି ଛଡିଲାଣି। ଦିନେ ଗୋଟିଏ ଦଳର ଚିନ୍ତାଧାରା ଓ ବିଚାରଧାରାକୁ ନେଇ ଆଗକୁ ବଢ଼ୁଥୁବା ନେତା ଦଳ ପରିବର୍ତ୍ତନ କଲେ ସେଇ ଚିନ୍ତାଧାରା ଓ ବିଚାରଧାରା ବଦଳି ଯାଏ।
ରାଜନୈତିକ ଦଳ ଓ ରାଜନେତାଙ୍କ ମଧ୍ୟରେ ଘଡିକେ ଘୋଡା ଛୁଟୁଛି । ନେତାଙ୍କ ଦଳବଦଳ ରାଜନୀତି ରାଜନୈତିକ ପାଣିପାଗକୁ ଉଷ୍ମ କରିଦେଇଛି । ବିଭିନ୍ନ ଦଳ ଏବେ ନେତା ଆମଦାନୀରେ ବ୍ୟସ୍ତ। ଦଳ ବଦଳ ରାଜନୀତି ନିର୍ବାଚନ ତାତିକୁ ଆହୁରି ବଢା଼ଇ ଦେଉଛି l

ଖାସକରି ବିଜେଡି, ବିଜେପି ଓ କଂଗ୍ରେସର ନେତାମାନେ ଦଳବଦଳ କରୁଛନ୍ତି । ନିକଟରେ ବିଜେପି ନେତା ଭୃଗୁ ବକ୍ସିପାତ୍ର ବିଜେପି ଛାଡି ବିଜେଡିରେ ଯୋଗ ଦେଲେ । ବ୍ରହ୍ମପୁର ଲୋକସଭା ଆସନରୁ ଟିକେଟ ମଧ୍ୟ ପାଇଲେ । ସେହିପରି ବିଜେଡି ନେତା ଅରବିନ୍ଦ ଢାଲି ବିଜେଡି ଛାଡି ବିଜେପିରେ ଯୋଗ ଦେଲେ । ଭୁବନେଶ୍ବର ଜୟଦେବ ଆସନରୁ ଟିକେଟ ପାଇଲେ । ଟିକେଟ ଆଶାରେ କଂଗ୍ରେସ ନେତା ଗଣେଶ୍ବର ବେହେରା ଦଳ ବଦଳ କରଥିବା କୁହାଯାଉଛି । କଂଗ୍ରେସ ନେତା ଅଧିରାଜ ପାଣିଗ୍ରାହୀ ମଧ୍ୟ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ।ସେହିପରି ଅନୁଭବ ମହାନ୍ତି, ଅରିନ୍ଦମ, ଆକାଶ ଦାଶ ନାୟକ ମଧ୍ୟ ନିକଟରେ ବିଜେଡି ଛାଡି ବିଜେପି କ୍ୟାମ୍ପରେ ଯୋଗ ଦେଇଛନ୍ତି । କୋରେଇରୁ ଟିକେଟ ପାଇଛନ୍ତି ଆକାଶ । ଭର୍ତ୍ତୃହରି ମହତାବ ମଧ୍ୟ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି । କଟକ ଲୋକସଭା ଆସନରୁ ଟିକେଟ ପାଇ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି

ନିଜ ସ୍ୱାର୍ଥରକ୍ଷା ପାଇଁ ନେତା ଦଳବଦଳ କରୁଥିବାବେଳେ ସମର୍ଥକ ଓ କର୍ମୀଙ୍କ ଭିତରେ ବଡ ଧରଣ ଦ୍ୱନ୍ଦ୍ୱ ତିଆରି ହେଉଛି । ଗତ ଉପ ନିର୍ବାଚନରୁ ଆରମ୍ଭ ହୋଇଥିବା ଏହି ଧାରା ୨୪ ନିର୍ବାଚନରେ ଆହୁରି ବ୍ୟାପକ ହେଉଛି । ହେଲେ କ୍ଷମତାରେ ରହିବା ପାଇଁ ଦଳ ବଦଳାଉଥିବା ଏହି ନେତାଙ୍କୁ ଭୋଟର କେତେଦୂର ଗ୍ରହଣ କରୁଛନ୍ତି ତାହା ହିଁ ଦେଖିବାର କଥା ।

Leave A Reply

Your email address will not be published.