ଛିଣ୍ଡୁନି ବାଲେଶ୍ୱର ଅଙ୍କ, ବିଜେଡି ଖୋଜୁଛି ଲୋକସଭା ପ୍ରାର୍ଥୀ ପାଇଁ

ବାଲେଶ୍ୱର :ବାଲେଶ୍ୱର ଲୋକସଭା ଆସନ ପ୍ରାର୍ଥୀ ପାଇଁ ବିଜେଡିର ଅଙ୍କ ଛିଣ୍ଡୁନି। ୨୦ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଦେଇଥିବା ବିଜେଡି ବାଲେଶ୍ୱରରେ ଅଟକି ରହିଛି। ବାଲେଶ୍ୱର ପ୍ରାର୍ଥୀ ଘୋଷଣା ବିଳମ୍ବକୁ ନେଇ ବିଜେଡି କର୍ମୀଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଲାଣି। ଏଠାରୁ ମାଳ ମାଳ ଆଶାୟୀ ଅଛନ୍ତି। କାହାକୁ ସୁପ୍ରିମୋ ଭରସା କରିବେ ତାକୁ ନେଇ ସସ୍ପେନ୍ସ ଜାରି ରହିଛି।
ଏଥର ପୁରୁଣା ନା ନୂଆ ମୁହଁ ଦେଖିବାକୁ ମିଳିବ? ଏହାକୁ ନେଇ ବାଲେଶ୍ଵର ଲୋକସଭା ଆସନ ଉପରେ ଫୋକସ ରହିଛି। ଗତକାଲି ୯ ବିଧାନସଭା ଆସନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଏହା ଭିତରେ ୨୦ ଲୋକସଭା ଆସନ ମଧ୍ୟରୁ ବିଜେଡି ୬ ଟିରେ ମହିଳାଙ୍କୁ ପ୍ରାର୍ଥୀ କରିଛି। ଆସ୍କାରୁ ରଞ୍ଜିତା ସାହୁ, କୋରାପୁଟରୁ କୌଶଲ୍ୟା ହିକକା, ଭଦ୍ରକରୁ ମଞ୍ଜୁଲତା ମଣ୍ଡଳ, ଯାଜପୁରରୁ ଶର୍ମିଷ୍ଠା ସେଠୀ, ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ, ବରଗଡ଼ରୁ ପରିଣିତା ମିଶ୍ରଙ୍କ ନାମ ଘୋଷଣା କରାଯାଇଛି। ଗତଥର ଲୋକସଭା ଆସନରେ ୭ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି। ମହିଳା ଦିବସରେ ବିଜେଡିର ମୁଖ୍ୟ ନିର୍ବାଚନ ରଣନୀତିକାର କାର୍ତ୍ତିକ ପାଣ୍ଡିଆନ୍ ମଧ୍ଯ କହିଥିଲେ ଏଥର ମଧ୍ଯ ଲୋକସଭା ଆସନରେ ୩୩ ପ୍ରତିଶତ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରାଯିବ। ତେଣୁ ବାଲେଶ୍ବର ଲୋକସଭା ଆସନରେ ମହିଳାଙ୍କୁ ବିଜେଡି ପ୍ରାର୍ଥୀ କରିବାର ଯଥେଷ୍ଟ ସମ୍ଭାବନା ରହିଛି। କିନ୍ତୁ ପ୍ରାର୍ଥୀ ଦଳ ଭିତରୁ ହେବେ ନା ଦଳ ବାହାରୁ ହେବେ ତାକୁ ନେଇ ଚର୍ଚ୍ଚା ବଢିଛି।