ବିଜେଡିର ନୂଆ ୯ ଯୋଦ୍ଧା, ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଆଣିଲା ବିଜେଡି

ଭୁବନେଶ୍ୱର: ତୃତୀୟ ପ୍ରର୍ଯ୍ୟାୟ ବିଧାନସଭା ତାଲିକା ପ୍ରକାଶ କଲା ବିଜେଡି। ଏହି ପର୍ଯ୍ୟାୟରେ ୯ଜଣଙ୍କ ନାଁ ସାମ୍ନାକୁ ଆସିଛି।
ସାଲେପୁରର ପୂର୍ବତନ ବିଧାୟକ ତଥା କଟକ ଜିଲା ଭାଜପାର ପୂର୍ବତନ ସଭାପତ ପ୍ରକାଶ ବେହେରାଙ୍କୁ ମିଳିଛି ଟିକେଟ୍ । କିଛିଦିନ ପୂର୍ବରୁ ସେ ଭାଜପା ଛାଡି ବିଜେଡିରେ ଯୋଗ ଦେଇଥିଲେ। ଟିକେଟ୍ ମିଳିବା ପରେ ସାଲେପୁରରୁ ପ୍ରକାଶ ନା ପ୍ରଶାନ୍ତଙ୍କୁ ଟିକେଟ୍ ମିଳିବ ବୋଲି ଚର୍ଚ୍ଚା ହେଉଥିଲା। ଯାହାର ଆଜି ପୂର୍ଣ୍ଣଚ୍ଛେଦ ପଡିଛି। ପ୍ରକାଶଙ୍କୁ ବାରବାଟୀ କଟକରୁ ଟିକେଟ୍ ମିଳିଥିବାବେଳେ ପ୍ରଶାନ୍ତ ବେହେରାଙ୍କୁ ସାଲେପୁରରୁ ଟିକେଟ୍ ମିଳିଛି। ତେବେ ପ୍ରଶାନ୍ତଙ୍କ ଉପରେ ପୁଣି ସାଲେପୁର ଆସନରେ ଦଳ ବଜାୟ ରଖିଛି।
ସେହିପରି ଗୁରୁତ୍ୱପୂର୍ଣ୍ଣ ସମ୍ବଲପୁର ଲୋକସଭା ଆସନ ଅନ୍ତର୍ଗତ ରେଙ୍ଗାଲିରେ ବିଜେଡି ସୁଦର୍ଶନ ହରିପାଲଙ୍କୁ ଭରସା କରିଛି । ରାଉଲକେଲାରେ ଦଳ ମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କୁ ରିପିଟ କରିଛି । ବୀରମିତ୍ରପୁରରେ ଦଳ ନୂଆ ଚେହେରାଙ୍କୁ ମୈଦାନକୁ ଓହ୍ଲାଇଛି । ନିକଟରେ ବିଜେଡିରେ ସାମିଲ ହୋଇଥିବା ବରିଷ୍ଠ ନେତା ଜର୍ଜ ତିର୍କୀଙ୍କ ପୁଅ ରୋହିତ ଜୋସେଫ ତିର୍କୀଙ୍କୁ ବିଜେଡି ଟିକେଟ ଦେଇଛି । ୨୦୧୯ ସାଧାରଣ ନିର୍ବାଚନରେ ରୋହିତ ଜୋସେଫ ତିର୍କୀ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ ।ସେହିପରି କେନ୍ଦୁଝରରୁ ମୀନା ମାଝୀଙ୍କୁ ପ୍ରାର୍ଥୀ କରିଛି ଦଳ । ଏହାସହ ରାଇରଙ୍ଗପୁରରେ ବିଜେଡି ନୂଆ ଚେହେରା ରାଇସେନ ମୁର୍ମୁଙ୍କୁ ଭରସା କରିଛି । ରାଇସେନ ଡିଏସପି ପଦରୁ ସ୍ୱେଚ୍ଛାକୃତ ଅବସର ନେଇ ବିଜେଡିରେ ସାମିଲ ହୋଇଥିଲେ । ଗତ ଉପ ନିର୍ବାଚନରେ ବାଲେଶ୍ଵରରୁ ପ୍ରାର୍ଥୀ ହୋଇଥିବା ସ୍ୱରୂପ କୁମାର ଦାସଙ୍କୁ ଦଳ ପୁନର୍ବାର ଟିକେଟ ଦେଇଛି । ଚର୍ଚ୍ଚିତ ଜୟଦେବ ଆସନରୁ ନବ କିଶୋର ମଲ୍ଲିକଙ୍କୁ ଦଳ ଟିକେଟ ଦେଇଛି । ଗତ ଥର ଜୟଦେବ ଆସନରୁ ନବ କିଶୋର ସ୍ୱାଧୀନ ଭାବେ ଲଢ଼ିଥିଲେ। ଏବେ ସେ ବିଜେଡି ତରଫରୁ ଲଢ଼ିବେ।
ପ୍ରଥମ ପର୍ଯ୍ୟାୟରେ ୭୧ ଜଣ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଥିବା ବେଳେ ୨ୟ ପର୍ଯ୍ୟାୟରେ ୨୭ ଜଣ ଓ ତୃତୀୟ ପର୍ଯ୍ୟାୟରେ ୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ଏହାକୁ ମିଶାଇ ମୋଟ୍ ୧୦୮ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଲାଣି ବିଜେଡି।