thelifelinemedia
Latest Odisha News, Breaking News Today

ବଢୁଛି ପ୍ରକାଶଙ୍କ ଗୁରୁତ୍ୱ , ସାଲେପୁର ରାଜନୀତି ନୂଆ ସମୀକରଣ

ଭୁବନେଶ୍ୱର : ସାଲେପୁର ରାଜନୀତିର ବଡ ଚେହେରା ପ୍ରକାଶ ବେହେରା। ପ୍ରଥମେ କଂଗ୍ରେସ, ପରେ ବିଜେପି ଆଉ ଏବେ ବିଜେଡିରେ। ସବୁ ଦଳକୁ ପରଖି ଏବେ ବିଜେଡି ସ୍ୱାଦ ଚାଖିବାକୁ ତୟାର ହେଉଛନ୍ତି ପ୍ରକାଶ ବେହେରା। ସାଲେପୁରର ବର୍ତ୍ତମାନ ବିଧାୟକ ପ୍ରଶାନ୍ତ ବେହେରା ପତ୍ତା କାଟିବାକୁ ବସିଲେଣି ପ୍ରକାଶ। ତେବେ କାହିଁକି ବିଜେଡି ଶିବିରରେ ପ୍ରିୟପାତ୍ର ପାଲଟି ସ୍ୱାଗତ ହେଲେ ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା। ସାଲେପୁର ନିର୍ବାଚନ ମଣ୍ଡଳୀ କେନ୍ଦ୍ରାପଡା ଲୋକସଭା ସଂସଦୀୟ କ୍ଷେତ୍ରର ଏକ ବିଧାନସଭା ନିର୍ବାଚନ ମଣ୍ଡଳୀ। ସାଲେପୁର ଭୋଟ ରେକର୍ଡକୁ ଅନୁଶୀଳନ କଲେ ଦେଖାଯାଏ ଗତ ତିନୋଟି ନିର୍ବାଚନରେ ପ୍ରକାଶ ବେହେରାଙ୍କର କେନ୍ଦ୍ରାପଡା ଲୋକସଭା ନିର୍ବାଚନରେ ବଡ଼ ପ୍ରଭାବ ରହିଛି।
୨୦୦୯ ନିର୍ବାଚନରେ ପ୍ରକାଶ ବେହେରା ସାଲେପୁର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ ବିଧାନସଭା ଲଢ଼ିଥିଲେ। ପ୍ରକାଶ ବେହେରାଙ୍କୁ ୬୫ ହଜାର ୯୮ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ଚନ୍ଦ୍ର ସାରଥୀ ବେହେରା ୬୬ ହଜାର ୩୭୫ ଖଣ୍ଡ ଭୋଟ ପାଇଁ ୧୨୭୭ ଭୋଟରେ ବିଜୟୀ ହୋଇଥିଲେ। ସେତେବେଳେ କେନ୍ଦ୍ରାପଡା ଲୋକସଭା ଲଢ଼ୁଥିବା କଂଗ୍ରେସ ପ୍ରାର୍ଥୀ ରଞ୍ଜୀବ ବିଶ୍ୱାଳ ସାଲେପୁର ବିଧାନସଭା କ୍ଷେତ୍ରରୁ ୬୨ ହଜାର ୭୦ ଖଣ୍ଡ ଭୋଟ ପାଇଥିଲେ। ପ୍ରକାଶଙ୍କ ଭୋଟ ପାଖାପାଖି ଭୋଟ ପାଇଥିଲେ ରଞ୍ଜୀବ। ୨୦୧୪ ନିର୍ବାଚନରେ ପ୍ରକାଶ ବେହେରା ପୁଣି କଂଗ୍ରେସରୁ ପ୍ରାର୍ଥୀ ହୋଇ ୭୮ ହଜାର ୩୪୩ ଖଣ୍ଡ ଭୋଟ ପାଇ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କୁ ୨୧୧୭ ଖଣ୍ଡ ଭୋଟରେ ହରାଇଥିଲେ। ସେତେବେଳେ କେନ୍ଦ୍ରାପଡା ଲୋକସଭାରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଧରଣୀଧର ନାୟକ ସାଲେପୁରରୁ ୭୩ ହଜାର ୧୦୯ ଖଣ୍ଡ ଭୋଟ ପାଇଥିଲେ। ପାଖାପାଖି ଥିଲା ପ୍ରକାଶଙ୍କ ଭୋଟ ସହିତ। ଏହାପରେ ଆସିଥିଲା ୨୦୧୯ ନିର୍ବାଚନ। ସାଲେପୁରରୁ ପ୍ରକାଶ ବେହେରା ବିଜେପିରେ ମିଶି ପ୍ରାର୍ଥୀ ହୋଇଥିଲେ। ପ୍ରକାଶ ୭୧ ହଜାର ୯୪୪ ଖଣ୍ଡ ଭୋଟ ପାଇଥିବା ବେଳେ କେନ୍ଦ୍ରାପଡା ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ୭୦ ହଜାର ୫୯ ଖଣ୍ଡ ଭୋଟ ପାଇଥିଲେ। ସେତେବେଳେ କେନ୍ଦ୍ରାପଡା କଂଗ୍ରେସ ଲୋକସଭା ପ୍ରାର୍ଥୀ ଧରଣୀଧର ନାୟକଙ୍କ ଭୋଟ ସାଲେପୁରରେ ମାତ୍ର ୬୪୯୯ କୁ ଖସି ଆସିଥିଲା। ସମାନ ଭାବରେ ବିଜେପି ୨୦୧୪ ରେ ସାଲେପୁରରୁ ସାଂସଦ ଭୋଟ ୧୧ ହଜାର ୪୦୪ ଖଣ୍ଡ ପାଇଥିବା ବେଳେ ପ୍ରକାଶଙ୍କ ଯୋଗଦାନ ପରେ ତାହା ୭୦ ହଜାରରୁ ଉର୍ଦ୍ଧ୍ବ ହୋଇ ଯାଇଥିଲା।

ଅର୍ଥାତ ପ୍ରକାଶ ଯେଉଁ ଦଳରେ ଅଛନ୍ତି ସେହି ଦଳର ସାଂସଦ ପ୍ରାର୍ଥୀଙ୍କୁ ତାଙ୍କର ଭୋଟ ସବୁ ଯାଉଛି। ତେଣୁ ଏଥର ମଧ୍ୟ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ନିର୍ବାଚନରେ ପ୍ରକାଶ ବେହେରାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.