ଭୁବନେଶ୍ୱର ପାଇଁ ବିଜେଡିର ବିଗ ଷ୍ଟ୍ରାଟେଜି, ଅପରାଜିତାକୁ ଟକ୍କର ଦେବା ପାଇଁ ମନ୍ମଥଙ୍କୁ ନେଇ ବ୍ଲୁ ପ୍ରିଣ୍ଟ

ଭୁବନେଶ୍ବର: ଚର୍ଚ୍ଚିତ ଲୋକସଭା ଆସନ ଭୁବନେଶ୍ୱର। ଏହି ଲୋକସଭା ଆସନ ହାତେଇବାକୁ ବିଜେଡିର ବଡ ପ୍ଲାନ୍।ଅପରାଜିତାଙ୍କୁ ଏଥର ଚେକ୍ ଦେବା ପାଇଁ ବିଜେଡି ଆପଣାଇଛି ବିଗ୍ ଷ୍ଟ୍ରାଟେଜି। କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟଙ୍କୁ ନେଇ ବିଜେଡି ପ୍ରସ୍ତୁତ କରିଛି ଭୁବନେଶ୍ବର ଲୋକସଭା ଆସନ ଦଖଲର ବ୍ଲୁପ୍ରିଣ୍ଟ।
2019 ଲୋକସଭା ନିର୍ବାଚନରେ ବିଜେପିରୁ ଅପରାଜିତା ଷଡଙ୍ଗୀ 23839 ଖଣ୍ଡ ଭୋଟ୍ ରେ ବିଜୟୀ ହୋଇଥିଲେ। 2019ରେ କଂଗ୍ରେସ ମେଣ୍ଟ କରିଥଲା ସିପିଏମ୍ ସହ। ଭୁବନେଶ୍ବର ଲୋକସଭା ଆସନରେ ପ୍ରାର୍ଥୀ ହୋଇଥିଲେ ସିପିଏମ୍ ର ଜନାର୍ଦ୍ଦନ ପତି। ସେ ପାଇଥିଲେ ମାତ୍ର 23 ହଜାର 26 ଖଣ୍ଡ ଭୋଟ୍।
ଭୁବନେଶ୍ବର ଲୋକସଭା ଅଧିନରେ ଥିବା 7 ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ 6ଟି ରେ କଂଗ୍ରେସ ପ୍ରାର୍ଥୀ ଦେଇଥିଲା। 6 ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ସମସ୍ତ ବିଧାୟକ ପ୍ରାର୍ଥୀଙ୍କୁ ସମୁଦାୟ 1 ଲକ୍ଷ 40 ହଜାର ଭୋଟ୍ ମିଳିଥିଲା। ଏହି 6 ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଜଟଣୀରୁ ସୁରେଶ ରାଉତରାୟ କେବଳ ପାଇଥିଲେ 68 ହଜାର 841 ଖଣ୍ଡ ଭୋଟ୍। ସେହିପରି ବେଗୁନିଆ ବିଧାନସଭା ନିର୍ବାଚନମଣ୍ଡଳୀରୁ ସେତେବେଳେ ପ୍ରାର୍ଥୀ ହୋଇଥିବା ପ୍ରଦୀପ ସାହୁ ପାଇଥିଲେ 53 ହଜାର 130 ଖଣ୍ଡ ଭୋଟ୍।
ଏବେ ସବୁଠାରୁ ବଡ ପ୍ରଶ୍ନ। ଯଦି 2019 ନିର୍ବାଚନରେ ଭୁବନେଶ୍ବର ଲୋକସଭା ସଂସଦୀୟ କ୍ଷେତ୍ରରେ କଂଗ୍ରେସର ସମସ୍ତ ବିଧାନସଭା ପ୍ରାର୍ଥୀ ସମୁଦାୟ 1 ଲକ୍ଷ 40 ହଜାର ଭୋଟ୍ ପାଇଲେ ତେବେ କଂଗ୍ରେସ ସହ ମେଣ୍ଟ କରିଥିବା ସିପିଏମ୍ ଲୋକସଭା ପ୍ରାର୍ଥୀ ଜନାର୍ଦ୍ଦନ ପତି କେମିତି ମାତ୍ର 23 ହଜାର 26 ଖଣ୍ଡ ଭୋଟ୍ ପାଇଲେ। ବାକି କଂଗ୍ରେସ ବିଧାୟକ ପ୍ରାର୍ଥୀ ପାଇଥିବା 1 ଲକ୍ଷ 17 ହଜାର ଭୋଟ୍ ଗଲା କୁଆଡେ? ଏହି 1 ଲକ୍ଷ 17 ହଜାର ଭୋଟ୍ ବିଜେଡି ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ହାରିବା ପଛରେ ପ୍ରମୁଖ କାରଣ ରହିଲା ବୋଲି କୁହାଯାଉଛି।
ଜଟଣୀରୁ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଯେତିକି ଭୋଟ୍ ପାଇଲେ ତାହାଠାରୁ 45 ହଜାରରୁ କମ୍ ଭୋଟ୍ ପାଇଲେ ଲୋକସଭା ପ୍ରାର୍ଥୀ ଜନାର୍ଦ୍ଦନ ପତି।
ବେଗୁନିଆ ବିଧାନସଭା ଆସନରୁ କଂଗ୍ରେସର ପ୍ରାର୍ଥୀ ହୋଇଥିଲେ ପ୍ରଦୀପ ସାହୁ। ସେ ପାଇଥିଲେ 53 ହଜାର ଭୋଟ୍। ଏବେ ସେ ବିଜେଡିରେ ଅଛନ୍ତି। 2021 ମସିହା ନଭେମ୍ବରରେ ସେ ବିଜେଡିରେ ସାମିଲ ହୋଇଥିଲେ।ଏବେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ସାନ ପୁଅ ବିଜେଡିରେ ସାମିଲ ହେବା ସହ ଭୁବନେଶ୍ବର ଲୋକସଭା ଆସନ ପାଇଁ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି।
ଯଦି ସୁର୍ ଙ୍କ ସାନ ପୁଅ ମନ୍ମଥ ରାଉତରାୟ ତାଙ୍କ ବାପା 2019ରେ ପାଇଥିବା କଂଗ୍ରେସ ଭୋଟ୍ ହାତେଇ ନେବେ ତାହା ହେଲେ ଭୁବନେଶ୍ବର ଲୋକସଭା ଆସନରେ ଲଢେଇ ନୂଆ ମୋଡ ନେବ। 2024 ନିର୍ବାଚନରେ ଭୁବନେଶ୍ବର ଲୋକସଭା ଆସନରେ ବିଜେଡିର ଭୋଟ୍ ପ୍ରତିଶତ ବଢ଼ାଇବାରେ ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ଓ ବେଗୁନିଆରୁ ଗତଥର ପ୍ରାର୍ଥୀ ହୋଇଥିବା ପ୍ରଦୀପ ସାହୁ କେତେ ପ୍ରଭାବି ହେଇ ପାରୁଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ରହିବ। ଏଥର କଂଗ୍ରେସ ମଧ୍ଯ ଭୁବନେଶ୍ବର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଦେବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଭୁବନେଶ୍ବର ଲୋକସଭା ଆସନରେ ଏଥର ଲଢେଇ ବେଶ ଦମଦାର ହେବ ବୋଲି କୁହାଯାଉଛି।