କାମ ଦେଉନି ଶରତଙ୍କ ନିର୍ବାଚନୀ ରଣନୀତି, କଂଗ୍ରେସରେ ଚାଲିଛି ପ୍ରାର୍ଥୀ ଖୋଜା

ଭୁବନେଶ୍ୱର: ଫେଲ ମାରୁଛି ପିସିସି ସଭାପତିଙ୍କ ନିର୍ବାଚନୀ ଷ୍ଟ୍ରାଟେଜି। ଦଳକୁ ଠିକ ଭାବେ ମ୍ୟାନେଜ କରି ପାରୁ ନାହାନ୍ତି ଶରତ ପଟ୍ଟନାୟକ। ଗୋଟିଏ ପଟେ ଦଳ ଏ ପର୍ଯ୍ୟନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ ଅନ୍ୟ ପଟେ ଜଣେ ପରେ ଜଣେ ହେଭିୱେଟ କଂଗ୍ରେସ ନେତା ଦଳ ଛାଡ଼ୁଛନ୍ତି। ଚିରଞ୍ଜିବି ବିଶ୍ୱାଳ ହୁଅନ୍ତୁ କି ସୁରେନ୍ଦ୍ର ସିଂ ଭୋଇ ଅବା କେ ନାରାୟଣ ରାଓଙ୍କ ଭଳି ନେତା ଦଳ ଛାଡ଼ିବା ଶରତ ପଟ୍ଟନାୟକଙ୍କ ସଭାପତିତ୍ବ ଉପରେ ପ୍ରଶ୍ନ ଉଠାଉଛି। ନିର୍ବାଚନ ସମୟ ଯେଉଁଠି ଦଳକୁ ଏକଜୁଟ କରିବା ଆବଶ୍ୟକତା ଅଛି, ସେଇଠି ଦଳ ଭାଙ୍ଗୁଛି। ଦଳ ଭିତରେ ଥିବା ଅସନ୍ତୋଷକୁ ପ୍ରଶମିତ କରି ପାରୁ ନାହାନ୍ତି।
ବର୍ତ୍ତମାନ ଦଳ ଡିଆ ପର୍ବ ଚାଲିଛି। ବିଭିନ୍ନ ଦଳ ଭିତରେ ନେତା ମାନେ ଏପଟ ସେପଟ ହେଉଛନ୍ତି। କିଏ ବିଜେଡିରୁ ଯାଇ ବିଜେପିରେ ମିଶୁଛି ତ ଆଉ କିଏ ବିଜେଡିରୁ ଯାଇ ବିଜେପି ମିଶୁଛି। ହେଲେ କେଉଁ ନେତା କଂଗ୍ରେସରେ ସାମିଲ ହେଉ ନାହାନ୍ତି ବରଂ କଂଗ୍ରେସ ଛାଡ଼ୁଛନ୍ତି। ଏଥିରୁ ଅନୁମାନ କଂଗ୍ରେସର ସ୍ଥିତି କଣ। କଂଗ୍ରେସରେ ନେତା ଆମଦାନୀ ହେଉ ନାହାନ୍ତି। ଖାଲି ହେବାରେ ଲାଗିଛି କଂଗ୍ରେସ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ସଂଗଠନକୁ ସୁଦୃଢ଼ ଓ ସଜାଡ଼ିବା ଲକ୍ଷ୍ୟରେ ଶରତ ପଟ୍ଟନାୟକଙ୍କୁ ନିଯୁକ୍ତି ମିଳିଥିଲା। ଦୀର୍ଘବର୍ଷ ଧରି ପ୍ରଦେଶ କଂଗ୍ରେସରେ ଜାରି ରହିଥିବା ‘ଗୋଡ଼ଟଣା ନୀତି’ ଓ ‘ତୀବ୍ର ଗୋଷ୍ଠୀକନ୍ଦଳ’କୁ ଏଡ଼ାଇ ଦଳ ପାଇଁ ସଫଳତା ଆଣିବା ଲକ୍ଷ୍ୟରେ ଶରତଙ୍କୁ ମିଳିଥିଲା ନିଯୁକ୍ତି। ହେଲେ ଦଳ ପୂର୍ବରୁ ଯେମିତି ଥିଲା ଏବେ ବି ସେମିତି ଅଛି।
କଂଗ୍ରେସ ପ୍ରାର୍ଥୀ ତାଲିକାରେ ବିଳମ୍ବ ସୂଚାଉଛି ଯେ ଦଳକୁ ପ୍ରାର୍ଥୀ ମିଳୁନାହିଁ। ଓଡ଼ିଶାରେ ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବାରେ ବିଳମ୍ବ କାହିଁକି କରୁଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଦଳ ନିଜ ସ୍ଥିତିକୁ ସୁଧାରିବା ପାଇଁ ଉପଯୁକ୍ତ ପ୍ରାର୍ଥୀ ଚିହ୍ନଟ କରିବାକୁ ସଂଘର୍ଷ କରୁଛି ବୋଲି ଚର୍ଚ୍ଚା ଜୋର ଧରିଛି। ଯେଉଁଥିପାଇଁ ଶରତ ପଟ୍ଟନାୟକଙ୍କୁ ଦାୟୀ କରିଛନ୍ତି ଦଳୀୟ କର୍ମୀ।
ଶାସକ ବିଜେଡି ଓ ମୁଖ୍ୟ ବିରୋଧୀ ଦଳ ବିଜେପି ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିସାରିଛନ୍ତି।
ଅପରପକ୍ଷରେ କଂଗ୍ରେସ ନିଜ ଘୋଷଣାକୁ ସ୍ଥଗିତ ରଖିଛି। ଏପ୍ରିଲ ପ୍ରଥମ ସପ୍ତାହରେ ଏହି ତାଲିକା ପ୍ରକାଶ ପାଇବ ବୋଲି ଦଳର ରାଜ୍ୟ ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ ଦିଲ୍ଲୀରେ କେନ୍ଦ୍ରୀୟ ନେତାମାନେ ସେମାନଙ୍କ ରଣନୀତି ଅନୁଯାୟୀ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଚଳାଇଛନ୍ତି ଏବଂ ଦଳ ଏକାସାଙ୍ଗରେ ସମସ୍ତ ୧୪୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବ।
ନିର୍ବାଚନ ସମ୍ଭାବନାକୁ ନେଇ ରାଜ୍ୟ ନେତୃତ୍ୱଙ୍କ ଆତ୍ମବିଶ୍ୱାସ ସତ୍ତ୍ୱେ ଦଳ ପାଇଁ ଅନେକ ଆହ୍ୱାନ ସ୍ପଷ୍ଟ କରିଛି। ବିଜେଡି ଓ ବିଜେପି ସମର୍ଥକଙ୍କ ଜୋରଦାର ପ୍ରଚାରକୁ ସାମ୍ନା କରିପାରୁଥିବା ପ୍ରାର୍ଥୀଙ୍କୁ ପ୍ରାର୍ଥୀ କରିବା କଂଗ୍ରେସ ପାଇଁ ଏବେ କଷ୍ଟକର ହୋଇପଡ଼ିଛି। ପ୍ରାର୍ଥୀ ଘୋଷଣା ଯେତିକି ଯେତିକି ବିଳମ୍ବ ହେଉଛି, ନେତାଙ୍କ ଛାତିରେ ସେତିକି ସେତିକି ଛନକା ପଶିବାରେ ଲାଗିଛି । ଆଉ ଟିକେଟ ନେଇ ଲୋକଙ୍କ ଭିତରେ ଉକ୍ରଣ୍ଠା ବଢ଼ିବାରେ ଲାଗିଛି ।
ଶରତ ଦାୟିତ୍ୱ ନେବାପରେ ୩ଟି ଉପନିର୍ବାଚନ ହୋଇଛି । ସବୁ ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ କରିଛି । ଦଳ ଯେଉଁଠି ଶକ୍ତିଶାଳୀ ଅଛି ସେଠି ଦଳକୁ ଶରତ ଦୁର୍ବଳ କରାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଦଳୀୟ ନେତା । ୧୯୯୮ରେ ବଲାଙ୍ଗୀରରୁ ସାଂସଦ ଥିଲେ ଶରତ ପଟ୍ଟନାୟକ । ତା ପରଠୁ ଆଉ ଜିତି ନାହାନ୍ତି । ଶରତ ପଟ୍ଟନାୟକ ଦାୟିତ୍ୱ ନେବାପରଠୁ ଦଳ ଆଗକୁ ବଢ଼ି ପାରିନଥିବା କଥା କୁହା ଯାଉଛି। ଏବେ ଦେଖିବାର କଥା ଶରତ କାନ୍ଧରେ ରାଜ୍ୟ କଂଗ୍ରେସ ଏଥର ନିର୍ବାଚନରେ କେମତି ପ୍ରଦର୍ଶନ କରୁଛି