ସେଲିବ୍ରେଟିଙ୍କ ଦଳ ବଦଳ, ରାଜନୀତିରେ ଚମକ ହରାଉଛନ୍ତି ଓଲିଉଡ଼ ଷ୍ଟାର

ଭୁବନେଶ୍ୱର : ପୂର୍ବରୁ ଅରିନ୍ଦମ ଓ ସିଦ୍ଧାନ୍ତ ଆଉ ଏବେ ଅନୁଭବ ଓ ଆକାଶ। ଯେଉଁ ଦଳ ଏମାନଙ୍କୁ ପରିଚୟ ଦେଇଥିଲା, ଯେଉଁ ଦଳ ଏମାନଙ୍କୁ ଅଭିନେତାରୁ ନେତା କରିଥିଲା ଏବେ ସେହି ଦଳକୁ ବାଏ ବାଏ କରିଛନ୍ତି ଏଇ ତାରକା ମାନେ।
ଆଜି ବିଜେଡିକୁ ବାଏ ବାଏ କରିଛନ୍ତି ପୂର୍ବତନ ବିଧାୟକ ଆକାଶ ଦାସ ନାୟକ ଓ ସାଂସଦ ଅନୁଭବ ମହାନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦୁହେଁ ଇସ୍ତଫା ପତ୍ର ପଠାଇଛନ୍ତି। ପୂର୍ବରୁ ରାଜ୍ୟସଭା ସଦସ୍ୟ ଥିଲେ ଅନୁଭବ ମହାନ୍ତି। ସିନେ ଦୁନିଆରୁ ରାଜନୀତିରେ ଏଣ୍ଟ୍ରି ମାରିଥିଲେ। ପରେ 2019 ମସିହାରେ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ପାରିବାରିକ ବିବାଦରେ ଛନ୍ଦି ହେବାପରେ ବିଜେଡିର କୌଣସି କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁନଥିଲା। ଲୋକସଭା ନିର୍ବାଚନରେ ବିପୁଳ ଭୋଟରେ ବିଜୟ ଲାଭ କରିଥିଲେ ଅନୁଭବ। ଲାଗୁଥିଲା ଆଗାମୀ ଦିନରେ ଲୋକପ୍ରିୟତାକୁ ବଜାୟ ରଖିବେ ଅନୁଭବ। ହେଲେ ପାରିବାରିକ ବିବାଦରେ ଛନ୍ଦି ହୋଇ ଚମକ ହରାଇଲେ ଅନୁଭବ। ଶେଷରେ ଟିକେଟ ନ ମିଳିବା ଆଶଙ୍କାରେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେହିପରି ଯାଜପୁର କୋରେଇରୁ 2014ରୁ 2019 ପର୍ଯ୍ୟନ୍ତ ବିଧାୟକ ଥିଲେ ଆକାଶ ଦାସ ନାୟକ। ଗତ ଥର ଦଳ ତାଙ୍କୁ ଟିକେଟ ଦେଇ ନଥିଲା। ଏଥର ମଧ୍ୟ ଦଳ ତାଙ୍କୁ ଟିକେଟ ନଦେବା ଆଶଙ୍କାରେ ଆକାଶ ଦଳ ଛାଡି ଦେଇଛନ୍ତି। ପୂର୍ବରୁ
ସିଦ୍ଧାନ୍ତ ମହାପାତ୍ର ଓ ଅରିନ୍ଦମ ରାୟ ବିଜେଡି ଛାଡି ବିଜେପିରେ ସାମିଲ ହୋଇ ସାରିଛନ୍ତି।
ରୂପେଲି ପରଦାରେ କ୍ରେଜ଼ ଥିବା ତାରକାମାନେ ରାଜନୀତିରେ ଚମକ ହରାଉଛନ୍ତି। ଅନେକ ତାରକା ରାଜନୀତିରୁ ଉଭେଇ ଗଲେଣି। ତେବେ ଆସନ୍ତା ନିର୍ବାଚନରେ ଏଇ ଦଳ ଡେଇଁ ଥିବା ତାରକାମାନଙ୍କ ପ୍ରଭାବ କିଭଳି ରହିବ ତା ଉପରେ ନଜର ରହିବ।