ଆସିଲା କାଳିଆ ଟଙ୍କା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୪୬ ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ ୯୩୩.୦୭ କୋଟି ଟଙ୍କାର କାଳିଆ ସହାୟତା-୨୦୨୪ ପ୍ରଦାନ କରିଛନ୍ତି। ଏଥିସହିତ ରାଜ୍ୟର ସମସ୍ତ ଜିଲ୍ଲାରେ ଚାଷୀ ଭାଇଭଉଣୀ ମାନଙ୍କୁ କୃଷି କାର୍ଯ୍ୟ ନିମନ୍ତେ ବୈଷୟିକ ସହାୟତା ପ୍ରଦାନ କରିବା ପାଇଁ କାଳିଆ କେନ୍ଦ୍ର ମଧ୍ୟ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଚାଷୀ ଭାଇଭଉଣୀ ମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ ପ୍ରତ୍ୟେକ ଚାଷୀ ପରିବାର ସମ୍ମାନ ସହ ବଞ୍ଚନ୍ତୁ, ସଶକ୍ତ ହୁଅନ୍ତୁ ଏବଂ ଓଡିଶାର ସମୃଦ୍ଧିରେ ଯୋଗଦାନ ରଖନ୍ତୁ।
ମୁଖ୍ୟମନ୍ତ୍ରୀ ଏହି ଅବସରରେ କାଳିଆ ଯୋଜନାର ସମୟ ଅବଧି ଆଉ ୩ ବର୍ଷ ଅର୍ଥାତ ୨୦୨୬-୨୭ ପର୍ଯ୍ୟନ୍ତ ବୃଦ୍ଧି କରାଗଲା ବୋଲି ଘୋଷଣା କରିଥିଲେ। ଏଥିପାଇଁ ରାଜ୍ୟ ସରକାର ୬୦୩୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ସେ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଶିକ୍ଷା କେବଳ ଗୋଟିଏ ବ୍ୟକ୍ତିକୁ ନୁହେଁ, ପୁରା ପରିବାରକୁ, ସମାଜକୁ ସଶକ୍ତି କରିଥାଏ। ତେଣୁ କାଳିଆ ହିତାଧିକାରୀ ପିଲାମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଚଳିତ ଶିକ୍ଷା ବର୍ଷରୁ କାଳିଆ ଛାତ୍ରବୃତ୍ତି କାର୍ଯ୍ୟକ୍ରମରେ ପରିବର୍ତ୍ତନ ଆଣି ଏନଆଇଟି, ଆଇଆଇଟି, ଆଇଆଇଏମ, ଏମ୍ସ, ଆଇସିଏଆର ପରି ସମ୍ମାନଜନକ ଶିକ୍ଷାନୁଷ୍ଠାନ ସହ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ଘରୋଇ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ପଢୁଥିବା ଚାଷୀ ପରିବାରର ପିଲାମାନଙ୍କୁ କାଳିଆ ଛାତ୍ରବୃତ୍ତି ପ୍ରଦାନ କରାଯିବ।