ମେଣ୍ଟରେ ବିଜେଡ଼ିକୁ କି ଫାଇଦା ମିଳିବ ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶାରେ ମେଣ୍ଟକୁ ନେଇ ଥିମିନି ଚର୍ଚ୍ଚା। ରାଜନୀତିରେ ସବୁଠୁ ଖରାପ ଜିନିଷ ହେଉଛି ଗୁଜବ ଓ ମିଛ କଥା। ନବୀନଙ୍କ ରୀ ଦୁଇ ପଦିଆ କଥା ମେଣ୍ଟ ଚର୍ଚ୍ଚାକୁ ଆହୁରି ବଢାଇ ଦେଉଛି। କିନ୍ତୁ ସବୁଠୁ ବଡ଼ କଥା ରାଜ୍ୟରେ ମେଣ୍ଟର ଆବଶ୍ୟକତା କଣ ପାଇଁ। ୨୦୦୯ ମସିହାରୁ ମେଣ୍ଟ ଭାଙ୍ଗିବା ପରେ ଏମିତି କଣ ହେଲା ଯେ ପୁଣି ୧୫ ବର୍ଷ ପରେ ମେଣ୍ଟ କଥା ଉଠୁଛି। ମେଣ୍ଟ ହେଲେ ଫାଇଦା କାହାର। ଲମ୍ବା ସମୟ ଧରି ଶାସନ କ୍ଷମତାରେ ଥିବା ବିଜେଡ଼ି ପାଇଁ ମେଣ୍ଟ ହେଲେ ଦଳକୁ କଣ ଫାଇଦା ମିଳିବ। ମେଣ୍ଟ ହେଲେ ବିଜେଡ଼ି କେତେ ଲାଭରେ ରହିବ ଆସନ୍ତୁ ଜାଣିବା
ବିଜେଡ଼ି ପାଇଁ ସହଜ ହେବ ସରକାର ଗଢ଼ିବା
ଷଷ୍ଠ ଥର ପାଇଁ କ୍ଷମତାକୁ ଆସି ରାଜନୀତିରେ ନୂଆ ଇତିହାସ ସୃଷ୍ଟି କରିବାକୁ ଚାହୁଁଛି ବିଜେଡ଼ି। ଯଦିଓ ଅନେକ ସର୍ଭେ ରିପୋର୍ଟ କହୁଛି ଓଡ଼ିଶାରେ ପୁଣି ବିଜେଡ଼ି ସରକାର ଆସିବ। ପୁଣି ମୁଖ୍ୟମନ୍ତ୍ରୀ ହେବେ ନବୀନ। ହେଲେ ଷଷ୍ଠ ଥର ବିଜେଡ଼ି କ୍ଷମତାକୁ ଆସିବା ଏତେ ସହଜ ହେବ ନାହିଁ। ବର୍ତ୍ତମାନ ସ୍ଥିତିରେ ବିଜେଡ଼ି ବିରୁଦ୍ଧରେ ସରକାରୀ ବିରୋଧୀ ହାୱା ବହିଲାଣି। ଅନେକ ବରିଷ୍ଠ ନେତା ଦଳ ଛାଡ଼ି ବିଜେପିରେ ମିଶିଲେଣି। ନବୀନଙ୍କ ପରିବର୍ତ୍ତେ ପାଣ୍ଡିଆନ ରାଜ୍ୟ ଚଳାଉଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ନବୀନ କେବଳ ରବର ସ୍ଟାମ୍ପ ବୋଲି ତୃଣମୂଳ ସ୍ତରରେ ଖବର ପହଁଚିଗଲାଣି । ଯଦିଓ ଏ ସବୁ ସତ୍ତ୍ୱେ ବିଜେଡ଼ି ସରକାର ଗଠନ କରିବ ବୋଲି ଅନେକ ଜାତୀୟ ସର୍ଭେ ରିପୋର୍ଟ କହୁଛି କିନ୍ତୁ ଏତେ ସହଜ ହେବନି ଷଷ୍ଠ ଥର କ୍ଷମତାକୁ ଆସିବା। ତେଣୁ
ଲମ୍ବା ସମୟ ଧରି ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସିବାର ସୁଯୋଗ କେମିତି ମିଳିବ ତାକୁ ସହଜ କରିବା ପାଇଁ ବିଜେପି ସହିତ ମେଣ୍ଟ କରିବାକୁ ଚାହୁଁଛି ବିଜେଡ଼ି। ବିଜେପି ସହିତ ମେଣ୍ଟ ହେଲେ ବିଜେଡ଼ିକୁ ଆଉ ପରିଶ୍ରମ କରିବାକୁ ପଡ଼ିବନି।
କମ ପରିଶ୍ରମରେ ବିଜେଡ଼ି ତା ଲକ୍ଷ୍ୟରେ ପହଞ୍ଚିପାରିବ।
କେନ୍ଦ୍ରରେ ବଢିବ ବିଜେଡିର ଦବଦବା
ବିଜେପି ସହ ମେଣ୍ଟ ହେଲେ ବିଜେଡି ସାଂସଦଙ୍କୁ କେନ୍ଦ୍ରରେ ମନ୍ତ୍ରୀପଦ ମିଳିବା ଥୟ। ଏମିତି ହେଲେ ଜାତୀୟ ରାଜନୀତିରେ ବିଜେଡ଼ିର ଗୁରୁତ୍ଵ ଆହୁରି ବଢିଯିବ। ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିବା ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଡିଲ କରିପାରେ ବିଜେଡ଼ି। ଆଉ ଯଦି ଏହା ବାସ୍ତବ ରୂପ ନିଏ, ତା ହେଲେ ଓଡିଶାବାସୀଙ୍କ ପାଇଁ ମହାପୁରୁଷ ପାଲଟିଯିବେ ନବୀନ।ବିରୋଧୀ ଶୁନ୍ୟ ହୋଇଯିବ ଓଡ଼ିଶା। ଖାଲି ସେତିକି ନୁହେଁ ଯଦି ବିଜେଡ଼ି ନେତା କେନ୍ଦ୍ରରେ ମନ୍ତ୍ରୀ ପଦ ପାଆନ୍ତି ତା ହେଲେ ବିଜେପି ନେତା ବ୍ୟାକ୍ ଫୁଟରେ ରହିବା ଥୟ।
ଇଡି ସିବିଆଇର ଭୟ ରହିବ ନାହିଁ
ମେଣ୍ଟ ହେଲେ। କେହି କାହା ବିରୁଦ୍ଧରେ କହିବେ ନାହିଁ। ଦୁର୍ନୀତିରେ ପୋତି ହୋଇଥିବା ବିଜେଡ଼ି ନେତାଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଭୟ ରହିବ ନାହିଁ। ମେଣ୍ଟ ବିଜେଡ଼ି ଦଳ ପାଇଁ ସୁରକ୍ଷା କବଚ ପାଲଟିବା। ଅନ୍ୟ ଦଳ ଯେମିତି ଆପ୍, ଟିଏମସି, ଜେଏମଏମ୍ ପରି ଅଣ-ଏନଡିଏ ଦଳ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ସମୂଖିନ ହେଉଛନ୍ତି, ସେ ଭୟ ବିଜେଡ଼ି ପାଇଁ ରହିବ ନାହିଁ।ସବୁ କିଛି ସଲା ସୁତୁରାରେ ଚାଲିବା।
ନରମିବେ ଅସନ୍ତୁଷ୍ଟ
ମେଣ୍ଟ ହେଲେ। ବିଜେଡିରୁ ଅସନ୍ତୁଷ୍ଟ ହୋଇ ବିଜେପି ଯାଇଥିବା ନେତା ଚୁପ୍ ରହିବେ। ପଦୁଟିଏ ସେମାନେ ବିଜେଡି ବିରୁଦ୍ଧରେ କହିବେ ନାହିଁ। ଯଦି କହିବେ ଦଳରୁ ବିଦା ହେବା ଥୟ। ତେଣୁ ବିଜେଡ଼ି ବିରୁଦ୍ଧରେ ପାଟି ନ ଖୋଲିବା ସେମାନଙ୍କ ପାଇଁ ବୁଦ୍ଧିମାନର ପରିଚୟ ହେବ। ସବୁଠୁ ବଡ଼ କଥା ହେଉଛି ବିଜେଡ଼ି ଏବେ ଟ୍ରାଞ୍ଜିସନ ଫେଜ୍ ଦେଇ ଗତି କରୁଛି। ଅର୍ଥାତ ନୂଆ ନେତା ମାନେ ସାମ୍ନାକୁ ଆସୁଛନ୍ତି। ଯେଉଁମାନେ ପୁରୁଣା ନେତାଙ୍କ ଜାଗା ନେଉଛନ୍ତି। ବିଜେପି ସହିତ ମେଣ୍ଟ ହେଲେ ବିନା ପ୍ରତିବନ୍ଧକରେ
ନୂଆ ପିଢିକୁ ଦାୟିତ୍ଵ ଦେଇ ଆଗକୁ ବଢ଼ିପାରିବ ବିଜେଡି ।
କେନ୍ଦ୍ରୀୟ ଅନୁଦାନ ବଢିବ
ମେଣ୍ଟ ହେଲେ ଓଡ଼ିଶାକୁ ପୂର୍ବ ଅପେକ୍ଷା କେନ୍ଦ୍ରୀୟ ଅନୁଦାନ ଅଧିକ ଆସିବ। କେନ୍ଦ୍ର ଅଧିକ ଟଙ୍କା ଦେବ ରାଜ୍ୟକୁ। ରାଜ୍ୟର ବିକାଶ ହେବ। ଯାହାର ଫାଇଦା ଉଠାଇବ ବିଜେଡ଼ି। ରାଜ୍ୟ ବିକାଶ ପାଇଁ ଦଳ ବିଜେପି ସହିତ ମେଣ୍ଟ କଲା ବୋଲି ସ୍ପଷ୍ଟ ବାର୍ତ୍ତା ଦେବ ବିଜେଡ଼ି। ଏହା ଦ୍ବାରା ଲୋକଙ୍କ ମନରେ ବିଜେଡ଼ି ବିରୋଧରେ କୁହୁଲୁଥିବା ନିଆଁ ପ୍ରଶମିତ ହେବ। ୧୨ ବର୍ଷ ପରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ ହେବ। ତା ପୂର୍ବରୁ ଓଡ଼ିଆକୁ ଆହୁରି ବିକାଶ ଶିଖରରେ ପହଞ୍ଚାଇବାକୁ ପଡ଼ିବ ଯାହାର ମାଧ୍ୟମ ବନିବ ବିଜେପି। ରାଜ୍ୟ ସ୍ୱାର୍ଥ ପାଇଁ ନବୀନ ଯେ କୌଣସି ନିଷ୍ପତ୍ତି ନେଇ ପାରନ୍ତି ବୋଲି ବଡ଼ ବାର୍ତ୍ତା ଯିବ। ଯାହା ବିଜେଡ଼ିକୁ ଫାଇଦା ମିଳିବ