ପୋଲ ତଳୁ ମିଳିଲା ଯୁବକଙ୍କ ମୃତଦେହ, ମୁହଁକୁ ପଥରରେ ଛେଚା ହୋଇଥିବା ସୂଚନା

ବରଗଡ଼,୧୯।୧୧: ବରଗଡ଼ ଜିଲ୍ଲା ବରପାଲି ସହରର ୯ ନମ୍ବର ୱାର୍ଡ ସ୍ଥିତ କଇରାଟିକିରା ପୋଲ ତଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ମୃତକର ମୁହଁରେ ପଥର ଛେଚା ହୋଇଥିବା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା । ମୃତକ ଜଣକ ବରପାଲି ମଧ୍ୟପଡାର ସ୍ବର୍ଗତ ଅଶୋକ ସାହୁଙ୍କ ପୁଅ ଟୁନା ସାହୁ (୩୭) ବୋଲି ପୁଲିସ ସୂତ୍ରରୁ ପ୍ରକାଶ କରାଯାଇଛି ।
ମୃତକ ବ୍ୟକ୍ତି ଜଣକ ଇଲେକ୍ଟ୍ରିସିଆନ ହୋଇଥିବା ଜଣାପଡିଥିବା ବେଳେ ଲୋକମାନଙ୍କ ସହ ତାଙ୍କ ଉତ୍ତମ ସମ୍ପର୍କ ରହିଥିଲା । ତେବେ କେଉଁ କାରଣରୁ ତାଙ୍କୁ ଏଭଳି ଭାବେ ହତ୍ୟାକରାଯାଇଛି, ସେନେଇ ଲୋକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ ପରିବାର ସୂତ୍ରରୁ ପ୍ରକାଶ ଯେ ଗତ ଦୁଇଦିନ ପୂର୍ବରୁ ସେ ନିଖୋଜ ଥିଲେ । ଏ ନେଇ ପରିବାର ଲୋକେ ଅନେକ ସ୍ଥାନରେ ତାଙ୍କୁ ଖୋଜାଖୋଜି ମଧ୍ୟ କରୁଥିଲେ । ତେବେ ଆଜି ସକାଳେ ସ୍ଥାନୀୟ ଲୋକଙ୍କ ଠାରୁ ପୁଲିସ ଖବରପାଇ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।