୨୦୦୭ ଟି-୨୦ ବିଶ୍ୱ କପ ଉପରେ ନିର୍ମାଣ ହେବ ୱେବ ସିରିଜ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱ କପ କଥା ଯଦି କହିବା ତେବେ ପ୍ରତି ଭାରତୀୟ ମୁହଁରେ ଆସିବ ପ୍ରଥମ ସଂସ୍କରଣର ନାଁ । ୨୦୦୭ ମସିହାରେ ଟିମ ଇଣ୍ଡିଆ ଏମଏସ ଧୋନୀଙ୍କ ନେତୃତ୍ୱରେ ଟି-୨୦ ବିଶ୍ୱ କପର ପ୍ରଥମ ଟାଇଟଲ ନିଜ ନାଁରେ କରିଥିଲା । ଧୋନୀଙ୍କୁ ଟିମ ଇଣ୍ଡିଆର ସବୁଠୁ ସଫଳ ଅଧିନାୟକ ବୋଲି ମଧ୍ୟ କୁହାଯାଏ । ଏବେ ପ୍ରଥମ ସଂସ୍କରଣକୁ ନେଇ ଏକ ୱେବ ସିରିଜ୍ ନିର୍ମାଣ ହେବାକୁ ଯାଉଛି । ଏହା ଜରିଆରେ କ୍ରିକେଟ ପ୍ରେମୀଙ୍କ ଆଗରେ ବିଶ୍ୱ କପ ୨୦୦୭ର ଅଜଣା କାହାଣୀ ରଖାଯିବ।
ଏହି ୱେବ ସିରିଜରେ ଟିମ ଇଣ୍ଡିଆ ୧୫ ଖେଳାଳି ନଜର ଆସିପାରନ୍ତି । ୱେବ ସିରିଜ ବିଷୟରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ପ୍ରସିଦ୍ଧ ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ । ୨୦୨୩ରେ ଏହି ୱେବ ସିରିଜ୍ ରିଲିଜ ହେବ । ପ୍ରଯୋଜକ ଗୌରବ ବହିର୍ବାନୀ, ନିର୍ଦ୍ଦେଶକ ଆନନ୍ଦ କୁମାର ଏବଂ ଲେଖକ ସୌରଭ ପାଣ୍ଡେଙ୍କ ତଦାରଖରେ ଏହି ସିରିଜ ଉପରେ କାମ କରାଯିବ । ତରଣ ଆଦର୍ଶଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ, ଏହି ସିରିଜ ହିନ୍ଦୀ ସହ ଅନ୍ୟ ଭାଷାରେ ମଧ୍ୟ ରିଲିଜ ହେବ ।