୬୦% କର୍ମଚାରୀଙ୍କୁ ବିନା ବେତନରେ ୩ ମାସ ଛୁଟିରେ ପଠାଇଲେ ଜେଟ୍ ଏୟାରୱେଜ୍

ନୂଆଦିଲ୍ଲୀ ୧୮।୧୧: ଦୀର୍ଘ ସମୟରୁ ବନ୍ଦ ହୋଇଯାଇଥିବା ଏୟାରଲାଇନ୍ସ କମ୍ପାନୀ ଜେଟ୍ ଏୟାରୱେଜ୍ ୬୦ ପ୍ରତିଶତ କର୍ମଚାରୀଙ୍କୁ ବିନା ବେତନରେ ୩ ମାସ ଛୁଟିରେ ଘରକୁ ପଠାଇଛନ୍ତି, ଯେଉଁଥିରେ କମ୍ପାନୀର ମ୍ୟାନେଜମେଣ୍ଟ କର୍ମଚାରୀ ମଧ୍ୟ ଅଛନ୍ତି। ଏଥିରେ ବଳକା ୪୦ ପ୍ରତିଶତ କର୍ମଚାରୀଙ୍କ ବେତନ ଅସ୍ଥାୟୀ କାଟ୍ କରାଯାଇଛି। ସୂଚନା ଅନୁସାରେ ଏୟାର ଲାଇନ୍ସର ରିଭାଇଭାଲ ପ୍ଲାନରେ ପୁଣି ଥରେ ସମସ୍ୟା ଉପୁଜିଛି।
ସୂଚନା ଅନୁସାରେ ଜେଟ୍ ଏୟାର ୱେଜଙ୍କ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ( ସିଇଓ) ସଞ୍ଜିବ କପୁର ମଧ୍ୟ ପର୍ଯ୍ୟାପ୍ତ ବେତନ କାଟଲାଗି କମ୍ପାନୀର ନିଷ୍ପତ୍ତିରେ ସହମତ ହୋଇଛନ୍ତି। ଏଥିରେ ସିଇଓ କର୍ମଚାରୀଙ୍କୁ ଶାନ୍ତ ରହିବା ପାଇଁ ଏକ ଟ୍ୱିଟ୍ କରିଛନ୍ତି। କହିଛନ୍ତି ଯେ ଏହି ନିଷ୍ପତ୍ତି ଯୋଗୁ କୌଣସି କର୍ମଚାରୀଙ୍କ ଚାକିରୀ ଛଟେଇ ହେବ ନାହିଁ। କାହାରିକୁ ଚାକିରୀରୁ ବାହାର କରିଦିଆଯାଉନି ବୋଲି ସେ କହିଛନ୍ତି। କମ୍ପାନୀର ଏହି ନିଷ୍ପତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ କମ୍ପାନୀର ରିଭାଇଭଲ ଚାଲିଥିଲା।
ଏୟାର ୱେଜ୍ର ନୂଆ ମାଲିକ ଜାଲାନ-କାଲରକ କନସୋର୍ଟିୟମ ଶୁକ୍ରବାର ନ୍ୟାସନାଲ କମ୍ପାନୀ ଲ ଆପିଲେଟ୍ ଟ୍ରିବ୍ୟୁନାଲ (ଏନସିଏଲଟି)ଙ୍କୁ କର୍ମଚାରୀଙ୍କ ଭବିଷ୍ୟନିଧି ଓ ବକେୟା ଗ୍ରାଚ୍ୟୁଟି ବାବଦ ଅତିରିକ୍ତ ୨୫୦ କୋଟି ଟଙ୍କା ପୈଠ କରିପାରିବେନି ବୋଲି କହିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ପୂର୍ବରୁ ଏନସିଏଲଟି ନୂଆ ମାଲିକଙ୍କୁ କମ୍ପାନୀର କର୍ମଚାରୀଙ୍କ ଭବିଷ୍ୟନିଧି ଓ ଗ୍ରାଚ୍ୟୁଟି ବାବଦ ଦେୟ ଚୁକ୍ତା କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ।