ଉଦ୍ଧବ ଠାକରେଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ଝଟକା

ନୂଆଦିଲ୍ଲୀ ୧୫।୧୧: ଦିଲ୍ଲୀ ହାଇକୋର୍ଟ ନିର୍ବାଚନ ଚିହ୍ନ ମାମଲାରେ ଉଦ୍ଧବ ଠାକରେଙ୍କ ଶିବସେନାକୁ ଝଟକା ଦେଇଛନ୍ତି। ହାଇକୋର୍ଟ ମଙ୍ଗଳବାର ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଏକ ପିଟିସନକୁ ଅଗ୍ରାହ୍ୟ କରିଦେଇଛନ୍ତି। ଏଥିରେ ଶିବ ସେନାର ନିର୍ବାଚନ ଚିହ୍ନ ଧନୁ ଓ ତୀରକୁ ଫ୍ରିଜ କରିବା ଲାଗି ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିଷ୍ପତ୍ତିକୁ ଉଦ୍ଧବ ଚାଲେଞ୍ଜ କରିଥିଲେ। ଏକ ନାଥ ସିନ୍ଦେ ଓ ଉଦ୍ଧବ ଗୋଷ୍ଠୀଙ୍କ ବିବାଦରେ ଇସିଆଇ ଶିବସେନା ନାମ ଓ ନିର୍ବାଚନ ଚିହ୍ନକୁ ଫ୍ରିଜ କରିଦେଇଥିଲେ। ଏହା ବିରୋଧରେ ଉଦ୍ଧବ ଠାକରେ ଦିଲ୍ଲୀ ହାଇକୋର୍ଟଙ୍କ ଶରଣାପନ୍ନ ହୋଇଥିଲେ।
ତେବେ ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ପିଟିସନକୁ ଖାରଜ କରିଦେଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେ ଗୋଷ୍ଠୀ ଶିବସେନା ଉପରେ ନିଜନିଜର ଦାବି କରିବା ଯୋଗୁ ଦିଲ୍ଲୀ ହାଇକୋର୍ଟ ଜଜ୍ ସଞ୍ଜୀବ ନରୁଲା ଇସିଆଇଙ୍କୁ ନିର୍ବାଚନ ଚିହ୍ନ ଓ ପାର୍ଟିର ନାମକୁ ନେଇ କାର୍ଯ୍ୟାନୁଷ୍ଠାନ ଶୀଘ୍ରାତିଶୀଘ୍ର ପୂରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ଇସିଆଇ ଅକ୍ଟୋବର ୮ ତାରିଖ ଦିନ ଏକ ଅନ୍ତରୀଣ ଆଦେଶ ଜାରି କରି ଶିବସେନା ନାମ ଓ ନିର୍ବାଚନ ଚିହ୍ନକୁ ଉଭୟ ଗୋଷ୍ଠୀଙ୍କ ବ୍ୟବହାର ନିମନ୍ତେ ରୋକ ଲଗାଇଥିଲେ।