୨ ଘଣ୍ଟା ପାଇଁ ଅଚଳ ହୋଇଗଲା ହ୍ୱାଟସଆପ୍

ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ୱାଟସଆପ୍, ମଧ୍ୟାହ୍ନ ସମୟରେ ବନ୍ଦ ହେବା ପରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିଥିଲା ଏମିତି ମେସେଜ୍ । ହ୍ୱାଟସଆପ୍ କାମ ନକରିବାକୁ ମଜାଳିଆ ଢ଼ଙ୍ଗରେ ଲେଖି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି ବ୍ୟବହାରକାରୀ । ଦୀପାବଳୀରେ ଅଧିକାଂଶ ଲୋକ ବନ୍ଧୁ, ବାନ୍ଧବ ଓ ସମ୍ପର୍କୀୟମାନଙ୍କୁ ମେସେଜ କରି ଶୁଭେଛା ଜଣାଇବାରୁ ହ୍ୱାଟସଆପରେ ଗ୍ରହଣ ଲାଗିଲା ବୋଲି କେହି କେହି ଲେଖି ପୋଷ୍ଟ କରିଛନ୍ତି । କେବଳ ଏତିକି ନୁହେଁ ମାର୍କ ଜୁକର ବର୍ଗ ତାର କାଟିଦେଉଥିବାର ଏକ ମିମ୍ ପୋଷ୍ଟ କରିଛନ୍ତି ହ୍ୱାଟସଆପ୍ ବ୍ୟବହାରକାରୀ । ଯାହା ବେଶ୍ ଭାଇରାଲ ହେଉଛି ।
ହ୍ୱାଟସ୍ଆପ୍ କାର୍ଯ୍ୟ କରିବା ବନ୍ଦ ହେବା ଖବର ପ୍ରଚାର ପରେ ଟୁଇଟରରେ ହ୍ୱାଟସଆପ୍ ଡାଉନ ହାସଟ୍ୟାଗ୍ ଟ୍ରେଣ୍ଡ ହୋଇଥିଲା । ଦୁଇ ଘଣ୍ଟା ମଧ୍ୟରେ ୧ ଲକ୍ଷରୁ ଅଧିକ ଟୁଇଟର ବ୍ୟବହାରକାରୀ ହ୍ୱାଟସଆପ୍ ଡାଉନ ହ୍ୟାସଟ୍ୟାଗ ସହ ଟୁଇଟ୍ କରିଥିଲେ । ଯେଉଁଥିରେ ଅଧିକାଂଶ ବ୍ୟବହାରକାରୀ ହ୍ୱାଟସଆପ୍ ୟୁଜର୍ସଙ୍କୁ ଟ୍ରୋଲ କରିଥିବା ଦେଖିବାକୁ ମଳିଥିଲା । ହ୍ୱାଟସଆପ୍ କାର୍ଯ୍ୟ କରିବା ବନ୍ଦ ହେବା ପରେ ମେଟାର ମୁଖପାତ୍ର କହିଥିଲେ, ହ୍ୱାଟସଆପ୍ରେ ମେସେଜରେ କିଛି ଅସୁବିଧା ହୋଇଛି ଯେତେ ଶୀଘ୍ର ହେବ ଆମେ ଏହାକୁ ଠିକ୍ କରିଦେବୁ । ଆଉ ଏହାର ୧ ଘଣ୍ଟା ମଧ୍ୟରେ ପୁଣି ସ୍ୱାଭାବିକ୍ ହୋଇଥିଲା ହ୍ୱାଟସଆପ୍ । କିନ୍ତୁ କଣ ପାଇଁ ଏଭଳି ସମସ୍ୟା ହୋଇଥିଲା ସେନେଇ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ସାଇବର ଏକ୍ସପର୍ଟଙ୍କ କହିବା ଅନୁସାରେ ବ୍ୟବହାରକାରୀଙ୍କ ସଂଖ୍ୟା ଅତ୍ୟଧିକ ହୋଇଗଲେ ସର୍ଭର କ୍ରାସ କରିଯାଇଥାଏ ।