ହାତୀ ଆତଙ୍କ ଘଟଣା: ଟ୍ରାଙ୍କୁଲାଇଜ୍ କରାଯିବାରୁ ନିସ୍ତେଜ ହେଲା ହାତୀ

କଟକ, ୨୮/୦୯: ଜଗତପୁରରେ ହାତୀ ପଶି ଉତ୍ପାତ କରିବା ଘଟଣାରେ ସ୍ଥିତି ନିୟନ୍ତ୍ରଣକୁ ଆସିଛି । ପିରବଜାର ନିକଟ ଜଙ୍ଗଲରେ ଲୁଚି ରହିଥିବା ନରହନ୍ତା ହାତୀକୁ ବର୍ତ୍ତମାନ ୩ ଡୋଜ ଟ୍ରାଙ୍କୁଲାଇଜ କରାଯାଇ ନିସ୍ତେଜ କରାଯାଇଛି । ତା ଗୋଡରେ ଶିକୁଳି ସାହାଯ୍ୟରେ ବନ୍ଧାଯାଇଥିବା ବେଳେ ଏକ କ୍ରେନ୍ ମାଧ୍ୟମରେ ନିଆଯାଇ ନିର୍ଦ୍ଧିଷ୍ଟ କୌଣସି ଜଙ୍ଗଲରେ ଛଡାଯିବ ବୋଲି କହିଛନ୍ତି ସିଟି DFO ଅଜିତ ଶତପଥୀ ।
ସୂଚନା ଥାଉକି କଟକ ସହରରେ ଗତକାଲି ରାତିରେ ୩ ହାତୀ ପଶିଥିଲେ। ଜଗତପୁର ଅଞ୍ଚଳରେ ଆତଙ୍କରାଜ୍ ସୃଷ୍ଟି କରିବା ସହ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଅନ୍ୟପଟେ ୩ ହାତୀ ମଧ୍ୟରୁ ଗୋଟିଏ ହାତୀର ମଧ୍ୟ ମୃତଦେହକୁ ଆଜି ଉଦ୍ଧାର କରାଯାଇଛି । ପାଣିରେ ବୁଡି ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିରୂପା ନଦୀପାର ହୋଇ ହାତୀ ଜଗତପୁର ବ୍ୟାରେଜ୍ ନିକଟରେ ଥିବା ବସ୍ତି ଅଞ୍ଚଳରେ ଉପଦ୍ରବ ଚଳାଇଥିଲେ । ଆସିଥିବା ହାତୀ ସ୍ଥାନୀୟ ଅଞ୍ଚଳରେ ଘର ଓ ଦୋକାନ ଘର ଭାଙ୍ଗିଥିଲେ।