thelifelinemedia
Latest Odisha News, Breaking News Today

ଚଳିତ ବର୍ଷ ବାଲିଯାତ୍ରାକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ନିଷ୍ପତ୍ତି: ବାଲିଯାତ୍ରାରେ ଓରମାସ୍‌ ତରଫରୁ ୫୦୦ଟି ଷ୍ଟଲ୍‌ ରହିବା ସହ ପ୍ରଦର୍ଶିତ ହେବ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପ

ଚଳିତ ବର୍ଷ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ରାଜ୍ୟ ପୁସ୍ତକ ମହୋତ୍ସବର ପ୍ରସ୍ତୁତି ସମ୍ବନ୍ଧରେ ମଧ୍ୟ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂରଜ ସମୀକ୍ଷା କରିଥିଲେ। ଚଳିତ ବର୍ଷ ୪ ଡିସେମ୍ବରରୁ ୧୪ ଡିସେମ୍ବର ପର୍ଯ୍ୟନ୍ତ ରାଜ୍ୟ ପୁସ୍ତକ ମହୋତ୍ସବ ଆୟୋଜିତ ହେବ

ଭୁବନେଶ୍ୱର:ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଆଜି ସଂସ୍କୃତି ବିଭାଗର ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର ସମୀକ୍ଷା ବୈଠକରେ କଟକର ଐତିହାସିକ ବାଲିଯାତ୍ରାର ଆୟୋଜନକୁ ନେଇ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଆସନ୍ତା ନଭେମ୍ବର ୨୪ ତାରିଖରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ କଟକରେ ବାଲିଯାତ୍ରା ଆୟୋଜିତ ହେବ। ଚଳିତ ବର୍ଷ ବାଲିଯାତ୍ରାର ଆୟୋଜନ ପାଇଁ ସରକାରଙ୍କ ତରଫରୁ ୧୦ କୋଟି ଟଙ୍କା ଅର୍ଥରାଶି ପ୍ରଦାନ ପାଇଁ ପ୍ରସ୍ତାବ ରହିଛି। ଏଥିସହ ଚଳିତ ବର୍ଷ ବାଲିଯାତ୍ରାକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିସହ ଓଡ଼ିଶା ରୁରାଲ ଡେଭେଲପ୍‌ମେଣ୍ଟ ଆଣ୍ଡ ମାର୍କେଟିଙ୍ଗ ସୋସାଇଟି (ଓରମାସ୍‌) ତରଫରୁ ୫୦୦ଟି ଷ୍ଟଲ୍‌ ରହିବା ସହ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପକୁ ବାଲିଯାତ୍ରା ପଡ଼ିଆର ପ୍ରମୁଖ ସ୍ଥାନମାନଙ୍କରେ ପ୍ରଦର୍ଶିତ କରାଯିବ। ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଦୁଇଟି ମଞ୍ଚ ରହିବ। ବାଲି ଦେଶରୁ ଏକ ପ୍ରତିନିଧି ମଣ୍ଡଳୀ ଚଳିତ ବର୍ଷ ବାଲିଯାତ୍ରାକୁ ଆସିବାର ମଧ୍ୟ ଯୋଜନା ରହିଛି। ଏଥିସହ କଟକ-ଇନ୍‌-କଟକରେ ବାଲି ଓ ପ୍ରାଚୀନ କଳିଙ୍ଗ ରାଜ୍ୟ ମଧ୍ୟରେ ରହିଥିବା ସାଂସ୍କୃତିକ ସାମଞ୍ଜସ୍ୟକୁ ପ୍ରଦର୍ଶିତ କରାଯିବ। ବାଲି ଓ କଳିଙ୍ଗ ମଧ୍ୟରେ ରହିଥିବା ଭାଷା, ଖାଦ୍ୟ, ବସ୍ତ୍ର, ତାଳପତ୍ର ଓ ଲୋଣ୍ଟାର (Bali’s traditional palm leaf manuscript) ମଧ୍ୟରେ ରହିଥିବା ସାମଞ୍ଜସ୍ୟକୁ କଟକ-ଇନ୍‌-କଟକ ପାଭିଲିୟନରେ ପ୍ରଦର୍ଶିତ କରାଯିବା ସହ ଏକ ଡିଜିଟାଲ ଇନ୍‌ଫରମେସନ୍‌ ୱାଲ୍ ମଧ୍ୟ ରହିବ।

ସେହିପରି ଭାବେ ଚଳିତ ବର୍ଷ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ରାଜ୍ୟ ପୁସ୍ତକ ମହୋତ୍ସବର ପ୍ରସ୍ତୁତି ସମ୍ବନ୍ଧରେ ମଧ୍ୟ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂରଜ ସମୀକ୍ଷା କରିଥିଲେ। ଚଳିତ ବର୍ଷ ୪ ଡିସେମ୍ବରରୁ ୧୪ ଡିସେମ୍ବର ପର୍ଯ୍ୟନ୍ତ ରାଜ୍ୟ ପୁସ୍ତକ ମହୋତ୍ସବ ଆୟୋଜିତ ହେବ। ପୁସ୍ତକ ମହୋତ୍ସବରେ କପିଳେନ୍ଦ୍ର ଦେବଙ୍କ ଜୀବନୀ ଉପରେ ଆଧାରିତ ପାଭିଲିୟନ ସହ ବନ୍ଦେ ମାତରମ୍, ଜ୍ଞାନଭାରତମ୍ ଆଦି ଥିମ୍‌କୁ ଆଧାର କରି ପାଭିଲିୟନ ନିର୍ମାଣ କରିବା ପାଇଁ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂରଜ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.