ଆଞ୍ଚଳିକ ସ୍ତରରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ପାଇଁ ଜାତିସଂଘରେ ପ୍ରସ୍ତାବ
ଭାରତ ପକ୍ଷରୁ ଏହି ନିଷ୍ପତ୍ତିର କାରଣ ଦର୍ଶାଇ ଜାତିସଂଘରେ ଭାରତୀୟ ସ୍ଥାୟୀ ମିସନର ପ୍ରଥମ ସଚିବ ଅନମୋଲ ଶେର୍ ବେଦୀ କହିଥିଲେ ଯେ, ପାରମ୍ପରିକ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଏକ ବିଶ୍ୱସ୍ତରୀୟ ପ୍ରସଙ୍ଗ
ବ୍ୟୁରୋ: ଆଞ୍ଚଳିକ ଓ ଉପଆଞ୍ଚଳିକ ସ୍ତରରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ପାଇଁ ପାକିସ୍ତାନ ଓ ବେଲାରୁଷ୍ ଆଣିଥିବା ଏକ ପ୍ରସ୍ତାବକୁ ଭାରତ ଓ ଇସ୍ରାଏଲ୍ ବିରୋଧ କରିଛନ୍ତି। ଜାତିସଂଘ ମହାସଭାର ପ୍ରଥମ କମିଟିରେ ସୋମବାର ଏହି ପ୍ରସ୍ତାବ ଉପରେ ଭୋଟ୍ ହୋଇଥିଲା। ୧୮୦ଟି ଦେଶ ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇଥିବା ବେଳେ ଭାରତ ଓ ଇସ୍ରାଏଲ୍ ବିପକ୍ଷରେ ଭୋଟ୍ ଦେଇଥିଲେ। କୌଣସି ଦେଶ ଭୋଟ୍ଦାନରୁ ବିରତ ରହିନଥିଲେ।
ଭାରତ ପକ୍ଷରୁ ଏହି ନିଷ୍ପତ୍ତିର କାରଣ ଦର୍ଶାଇ ଜାତିସଂଘରେ ଭାରତୀୟ ସ୍ଥାୟୀ ମିସନର ପ୍ରଥମ ସଚିବ ଅନମୋଲ ଶେର୍ ବେଦୀ କହିଥିଲେ ଯେ, ପାରମ୍ପରିକ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଏକ ବିଶ୍ୱସ୍ତରୀୟ ପ୍ରସଙ୍ଗ। ଏହାକୁ କେବଳ ଆଞ୍ଚଳିକ କିମ୍ବା ଉପଆଞ୍ଚଳିକ ଢାଞ୍ଚା ମଧ୍ୟରେ ସୀମିତ ରଖିବା ଉଚିତ ନୁହେଁ। ଭାରତ ନିଜର ପୂର୍ବ ଆଭିମୁଖ୍ୟ ଅନୁଯାୟୀ ଏହି ପ୍ରସ୍ତାବକୁ ବିରୋଧ କରିଥିବା ସେ ସ୍ପଷ୍ଟ କରିଥିଲେ। ବେଦୀ କହିଥିଲେ ଯେ ଦେଶଗୁଡ଼ିକର ସୁରକ୍ଷା ସମ୍ପର୍କିତ ଚିନ୍ତା କେବଳ ନିଜ ଅଞ୍ଚଳର ସୀମା ମଧ୍ୟରେ ରହେ ନାହିଁ। ଭାରତର ସୁରକ୍ଷା ସମ୍ପର୍କିତ ଆବଶ୍ୟକତା ଏହାର ଭୌଗୋଳିକ ଅଞ୍ଚଳଠାରୁ ଅଧିକ ବ୍ୟାପକ ବୋଲି ତାଙ୍କ ଯୁକ୍ତି ଥିଲା।