ଟାଇଗର ନୁହେଁ ଟାର୍ଗେଟରେ ଥିଲେ ସଲମାନ: ଗ୍ୟାଙ୍ଗଷ୍ଟର ଟାର୍ଗେଟରେ ବଲିଉଡ
ଟାଇଗର ଶ୍ରଫଙ୍କ ଉପରେ ଗୁଳି ଚଳାଇଥିବା ତିନି ଅଭିଯୁକ୍ତ ମୁମ୍ବାଇରେ ପହଞ୍ଚିବା ପରେ ଦବଙ୍ଗ ଖାନଙ୍କ ବାସଭବନ, ଗାଲାକ୍ସି ଆପାର୍ଟମେଣ୍ଟର ରେକି କରିଥିଲେ
ମୁମ୍ବାଇ:ଟାର୍ଗେଟ୍ ରେ ଥିଲେ ସଲମାନ୍, ଗୁଳିମାଡ଼ର ଶିକାର ହେଲେ ଟାଇଗର୍। ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କ ଉପରେ ଗୁଳିମାଡ଼ ଘଟଣାରେ ସାମନାକୁ ଆସୁଛି ରୋଚକ ତଥ୍ୟ। ମାରାଥନ୍ ଜେରା ବେଳେ ସତ ଉଗାଳୁଛନ୍ତି ୩ ଅଭିଯୁକ୍ତ। ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚର ତଦନ୍ତରୁ ଜଣାପଡିଛି ଯେ ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ଙ୍କ ଉପରେ ହୋଇଥିବା ଗୁଳିମାଡ଼ ଘଟଣାରେ ପ୍ରକୃତ ଟାର୍ଗେଟ୍ ଟାଇଗର ନଥିଲେ, ବରଂ ସଲମାନ ଖାନ ଥିଲେ। କଡ଼ା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଯୋଜନା ବଦଳିଥିଲା ଏବଂ ଅମିତାଭ ବଚ୍ଚନ, ଆମିର ଖାନ ଓ ଅକ୍ଷୟ କୁମାରଙ୍କ ନାଁ ମଧ୍ୟ ହିଟ୍ଲିଷ୍ଟରେ ଥିବା ଚର୍ଚ୍ଚା ହେଉଛି।
ଟାଇଗର ଶ୍ରଫଙ୍କ ଉପରେ ଗୁଳି ଚଳାଇଥିବା ତିନି ଅଭିଯୁକ୍ତ ମୁମ୍ବାଇରେ ପହଞ୍ଚିବା ପରେ ଦବଙ୍ଗ ଖାନଙ୍କ ବାସଭବନ, ଗାଲାକ୍ସି ଆପାର୍ଟମେଣ୍ଟର ରେକି କରିଥିଲେ । ଯେତେବେଳେ ସେମାନେ ଅଭିନେତାଙ୍କ ବାସଭବନ ବାହାରେ ଏକ ବଡ଼ ପୋଲିସ ଉପସ୍ଥିତି ଦେଖିଲେ, ଗୁଳି ଚଳାଇଥିବା ଲୋକମାନେ ସେମାନଙ୍କର ଯୋଜନା ବଦଳାଇ ଦେଲେ। ତା’ପରେ ସେମାନେ ଟାଇଗର ଶ୍ରଫଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରି ତାଙ୍କୁ ଟାର୍ଗେଟ କରିଥିଲେ । ସୋସିଆଲ ମିଡିଆ ମାଧ୍ୟମରେ ଅନେକ ଥର ଟାଇଗର ଶ୍ରଫଙ୍କୁ ଟ୍ରାକ୍ କରିଥିଲେ ଅଭିଯୁକ୍ତ । ସେମାନେ ସେଠାରୁ ଅଭିନେତାଙ୍କ ଘଟଣାବଳୀ ବିଷୟରେ ସୂଚନା ଏବଂ ସ୍ଥାନ ମଧ୍ୟ ପାଉଥିଲେ ।