ଆମେରିକା ଭୟଙ୍କର ଆକ୍ରମଣ ଜାରି: ଇରାନରେ ୭ ମୃତ
ହର୍ମୁଜ୍ ପ୍ରଣାଳୀରେ ତେହେରାନର କବ୍ଜା ହ୍ରାସ କରିବା ପାଇଁ ଚାପ ପକାଇବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ପରେ ଆମେରିକା ସେନାବାହିନୀ ପକ୍ଷରୁ ଏହି ତୀବ୍ର ଆକ୍ରମଣ ଜାରି
ତେହେରାନ: ଲଗାତାର ଷଷ୍ଠ ଦିନ ପାଇଁ ଆମେରିକା ଓ ଇରାନ ପରସ୍ପର ଉପରେ ଭୟଙ୍କର ଆକ୍ରମଣ କରିଛନ୍ତି। ଆମେରିକା ଗୁରୁବାର ରାତିରେ ଇରାନର ପାଞ୍ଚଟି ସେତୁ, ଗୋଟିଏ ରେଳ ଷ୍ଟେସନ ଓ ବିମାନବନ୍ଦର ଉପରେ ତୀବ୍ର ଆକ୍ରମଣ କରିଛି ଯେଉଁଥିରେ ତେହେରାନର ୭ ଜଣ ନାଗରିକଙ୍କର ମୃତ୍ୟୁ ହୋଇଛି। ହର୍ମୁଜ୍ ପ୍ରଣାଳୀରେ ତେହେରାନର କବ୍ଜା ହ୍ରାସ କରିବା ପାଇଁ ଚାପ ପକାଇବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ପରେ ଆମେରିକା ସେନାବାହିନୀ ପକ୍ଷରୁ ଏହି ତୀବ୍ର ଆକ୍ରମଣ ଜାରି ରହିଛି। ଜବାବରେ ଇରାନ ମଧ୍ୟପ୍ରାଚ୍ୟରେ ଆମେରିକାର ସହଯୋଗୀ ରାଷ୍ଟ୍ରଗୁଡ଼ିକ ଉପରେ ଜୋରଦାର ଆକ୍ରମଣ କରିଛି। ନୂତନ କ୍ଷେପଣାସ୍ତ୍ରରେ ଆକ୍ରମଣ କରିବା ସହିତ ଆହୁରି ଜୋରଦାର ଆକ୍ରମଣ କରିବ ବୋଲି ଚେତାବନୀ ଦେଇଛି। ତେହେରାନ ପଡ଼ୋଶୀ ଦେଶଗୁଡ଼ିକରେ ଥିବା ଆମେରିକୀୟ ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ନିକ୍ଷେପ କରିଛି। ତେହେରାନ ଟାର୍ଗେଟରେ ଜୋର୍ଡାନରେ ନିକଟରେ ସମ୍ପ୍ରସାରିତ ଏକ ବାୟୁସେନା ଘାଟି ମଧ୍ୟ ସାମିଲ ରହିଛି।
ଇରାନର ଘନ ଘନ କ୍ଷେପଣାସ୍ତ୍ର ଆକ୍ରମଣ ଯୋଗୁ କତର ଏହାର ସାଧାରଣ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦେଇଛି। ଇରାନର ଡ୍ରୋନ୍ ଆକ୍ରମଣରେ କତରରେ ଜଣେ ଶିଶୁ ଆହତ ହୋଇଛି। ଇରାନ-ଆମେରିକା ମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ କତର ପାକିସ୍ତାନ ସହିତ ମିଶି ମଧ୍ୟସ୍ଥତା କରୁଛି। କିନ୍ତୁ ହର୍ମୁଜ ପ୍ରଣାଳୀକୁ ନିୟନ୍ତ୍ରଣରେ ରଖିବା ପରେ ଆମେରିକା ସହିତ ଶାନ୍ତି ଆଲୋଚନା ବିଫଳ ହୋଇଛି।