ନୟାଗଡ଼ରେ ବୀଭତ୍ସ ହତ୍ୟାକାଣ୍ଡ: ରାକ୍ଷସ ବନିଗଲେ ମାଙ୍କଡ଼ା ମାଫିଆ ଖଣ୍ଡାରେ ୫୦ ଚୋଟ ମାରି ଯୁବକଙ୍କୁ ମାରିଲେ, ଛିଣ୍ଡାଇ ଦେଲେ ୨ ହାତ, କାଟିଦେଲେ ପାପୁଲି
ବାଲିପାଟଣା ପରେ ନୟାଗଡ଼ରେ ଜଘନ୍ୟ ହତ୍ୟାକାଣ୍ଡ
ନୟାଗଡ଼:ନୟାଗଡ଼ରେ ପୁଣି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜିଲ୍ଲାର ଓଡ଼ଗାଁ ଅଞ୍ଚଳରେ ଜଣେ ଯୁବକଙ୍କୁ ଅତି ବୀଭତ୍ସ ଭାବେ ହାଣି ହତ୍ୟା କରାଯାଇଛି। ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାରେ ଜଣେ ପୁଲିସ କର୍ମଚାରୀ ଏବଂ ବାଲିପାଟଣାରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ରାଜ୍ୟବାସୀ ଭୁଲି ପାରି ନଥିବା ବେଳେ ନୟାଗଡ଼ ହତ୍ୟାକାଣ୍ଡ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ପୋଲିସ ସୂଚନା ଅନୁଯାୟୀ, ଓଡ଼ଗାଁ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚୋରା ମାଙ୍କଡ଼ା ପଥର ଚାଲାଣ ହେଉଥିବାବେଳେ ସ୍ଥାନୀୟ ଲୋକ ଏହାକୁ ବିରୋଧ କରି ଆସୁଛନ୍ତି । ଗତକାଲି ରାତିରେ ଏକ ଟ୍ରକ ମାଙ୍କଡ଼ା ପଥର ବୋଝେଇ କରି ଯାଉଥିବାବଳେ ଅଜିତ ଓ ତାଙ୍କ ବନ୍ଧୁ ସନ୍ତୋଷ ପ୍ରଧାନ କଦଳୀବନ୍ଧଠାରେ ଗାଡିକୁ ଅଟକାଇ ପିସିଆର ପୋଲିସକୁ ଖବର ଦେଇଥିଲେ । ହେଲେ ପୋଲିସ ଆସି ନଥିଲା ।ଅଜିତଙ୍କ ସାଙ୍ଗ ତଥା ପ୍ରତ୍ୟକ୍ଷଦର୍ଶୀ ସନ୍ତୋଷଙ୍କ କହିବା ଅନୁଯାୟୀ, ‘ସେମାନେ ପଥର ବୋଝେଇ ଗାଡିକୁ ଅଟକ ରଖି ଓଡଗାଁ ଥାନାକୁ ଫୋନ କରିଥିଲେ । ଥାନା ଆଇଆଇସି ଏଏସଆଇଙ୍କୁ ଜଣାଇବା ପାଇଁ କହିଥିଲେ । ସେ ଏଏସଆଇଙ୍କୁ ମଧ୍ୟ ଫୋନ କରି ଜଣାଇଥିଲେ । ହେଲେ ପୋଲିସ ସେମାନଙ୍କ କଥାକୁ ଗୁରୁତ୍ୱ ଦେଇ ନ ଥିଲେ’ ବୋଲି ଅଭିଯୋଗ କରିଛନ୍ତି ସନ୍ତୋଷ ।