ଅକ୍ଟୋବର ସୁଦ୍ଧା ଦେଶରେ ଆରମ୍ଭ ହେବ ୫ଜି ସେବା

ନୂଆଦିଲ୍ଲୀ : ଆସନ୍ତା ଅକ୍ଟୋବର ସୁଦ୍ଧା ଦେଶରେ ୫-ଜି ଟେଲିକମ ସେବା ଆରମ୍ଭ ହୋଇଯିବ । ପ୍ରଥମେ କିଛି ସହରରେ ଏହା ଆରମ୍ଭ ହେବ, ତାପରେ ଏକ ବର୍ଷ ମଧ୍ୟରେ ଦେଶର ଅଧିକାଂଶ ସହରରେ ଏହା ଆରମ୍ଭ ହୋଇଯିବ ବୋଲି କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ।
ସେ କହିଛନ୍ତି ଯେ ଅନ୍ୟ ଦେଶ ତୁଳନାରେ ଭାରତରେ ୫-ଜି ସେବା ଦ୍ରୁତ ଗତିରେ ପ୍ରସାରିତ ହୋଇପାରିବ । କାରଣ ଆମେ ଯେଉଁ ଟେକନଲୋଜୀ ବ୍ୟବହାର କରୁଛୁ, ତାହା ବେଶ ଶସ୍ତା ଅଟେ ।
୫ଜି ସ୍ପେକ୍ଟ୍ରମ ନିଲାମ ଶନିବାର ବି ଜାରି ରହିଥିଲା ଓ ରବିବାର ଦିନ ବି ଜାରି ରହିବ । ବିଭିନ୍ନ ସର୍କଲ ପାଇଁ ଆସିଥିବା ବିଡ୍ ପରିମାଣ ଦେଢ ଲକ୍ଷ କୋଟି ଟପିଯାଇଛି । ଏ ପର୍ଯ୍ୟନ୍ତ ଅଧିକାଂଶ ସର୍କଲ ପାଇଁ ସ୍ପେକ୍ଟ୍ରମ ନିଲାମ ସରିଯାଇଥିଲେ ବି ଅଳ୍ପ କିଛି ସର୍କଲ ପାଇଁ ନିଲାମ ଜାରି ରହିଛି । ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ସ୍ପେକ୍ଟ୍ରମ ଆବଣ୍ଟନ କରାଯିବ ।