ଦୁଇ ସପ୍ତାହ ଭିତରେ ଜବତ ହେଲାଣି ୪୫ ଲକ୍ଷ ଟଙ୍କାର ନକଲି ମେଡିସିନ୍

କଟକ, ୨୨/୦୯: ନକଲି ଔଷଧ କାରବାରର ଚେର ଲମ୍ବିବାରେ ଲାଗିଛି । ଆଜି ସୁଦ୍ଧା କେବଳ କଟକ ମାର୍କେଟରୁ ଗତ ଚାରିଦିନ ଭିତରେ ଜବତ ହେଲାଣି ୨୫ ଲକ୍ଷ ଟଙ୍କାର ନକଲି ଔଷଧ। ପୂର୍ବରୁ, ଅର୍ଥାତ ଗତ ୯ ତାରିଖରେ କଟକରୁ ଜବତ ହୋଇଥିଲା ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ନକଲି ଔଷଧ। ସବୁକୁ ମିଶାଇଲେ ଦୁଇ ସପ୍ତାହ ଭିତରେ ଜବତ ହେଲାଣି ୪୫ ଲକ୍ଷ ଟଙ୍କାର ନକଲି ମେଡିସିନ୍। ଉଭୟ ପୋଲିସ ଓ ଭେଷଜ ନିୟନ୍ତ୍ରଣ ବିଭାଗ ମିଳିତ କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି। ତେଣୁ ଆଗକୁ ଆହୁରି ସାଂଘାତିକ ତଥ୍ୟ ସାମ୍ନାକୁ ଆସି ପାରେ ବୋଲି ଅନୁମାନ କରାଯାଉଛି ।
ଗତ ୯ ତାରିଖ ଦିନ ଭି.ଆର ଡ୍ରଗ ଏଜେନ୍ସି ଓ ପୂଜା ଏଣ୍ଟରପ୍ରାଇଜରସ୍ ଉପରେ ଚଢାଉ କରି ଭେଷଜ ନିୟନ୍ତ୍ରଣ ବିଭାଗ ୨୦ ଲକ୍ଷ ଟଙ୍କାର ନକଲି ବ୍ଲଡ ପ୍ରେସର ମେଡିସିନ ଜବତ କରିଥିଲା । ଏଥିରେ ସଂପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ବୟାନ ଆଧାରରେ ବିଭିନ୍ନ ସ୍ଥାନରେ ହୋଇଥିଲା ଚଢାଉ । ପରେ ଏକ ଟ୍ରାନ୍ସପୋର୍ଟ କମ୍ପାନୀରୁ ଜବତ ହୋଇଥିଲା ୩ ଲକ୍ଷ ଟଙ୍କାର ନକଲି ଔଷଧ। ଏହା ଭିତରେ ଭେଷଜ ନିୟନ୍ତ୍ରଣ ବିଭାଗ କଟକର ଆଉ ତିନୋଟି ମେଡିସିନ ଫାର୍ମରେ ଚଢାଉ କରିଛି । ସେଠାରୁ ୨୨ ଲକ୍ଷ ଟଙ୍କାର ନକଲି ମେଡିସିନ ଜବତ ହୋଇଛି ।