କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ, ୩୩ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର,୨୨/୦୯: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ମୋଟ ୩୩ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି । ବୈଠକରେ ୧୬ଟି ବିଭାଗର ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ବୈତରଣୀ ନଦୀରେ ୨ଟି ବ୍ୟାରେଜ୍ ନିର୍ମାଣ ପାଇଁ କ୍ୟାବିନେଟ୍ରେ ପ୍ରସ୍ତାବ ଗୃହୀତ ହୋଇଛି । ୨ ଶହ କୋଟି ବ୍ୟୟରେ ୨ଟି ବ୍ୟାରେଜ୍ କରାଯିବ । ଯାହା ଫଳରେ ବନ୍ୟା ନିୟନ୍ତ୍ରଣ କରିହେବ ।
ଜଟଣୀ ତହସିଲର ଜାମୁକୋଳିରେ କେନ୍ଦ୍ରୀୟ ହୋମିଓପାଥି ଗବେଷଣା ପରିଷଦ ହେବାନେଇ ପ୍ରସ୍ତାବ ପାରିତ ହୋଇଛି । ଏଥିପାଇଁ ରାଜ୍ୟ ସରକାର ମାଗଣାରେ ୫ ଏକର ଜମି ଯୋଗାଇ ଦେବେ । ଏଥିସହ ରାଜ୍ୟସ୍ତରୀୟ କ୍ରୀଡା ଭିତ୍ତିଭୂମି ବିକାଶ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । କଳିଙ୍ଗ ଷ୍ଟାଡିୟମ ଓ ବିର୍ସା ମୁଣ୍ଡା ଷ୍ଟାଡିୟମର ଭିତ୍ତିଭୂମି ବିକାଶ ହେବ । ବିଶ୍ୱକପ ପାଇଁ ଭିତ୍ତିଭୂମି ବିକାଶ ବଜେଟ ସଂଶୋଧନକୁ ମଞ୍ଜୁରୀ ମିଳିଛି ।