ମୋ ପାଇଁ ବଡ଼ ସୁଯୋଗ: ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ସୁଚାରୁ ରୂପେ ତୁଲେଇବି ଦାୟିତ୍ଵ
୨୦୨୯ ମାର୍ଚ୍ଚରେ ଶ୍ରୀମତୀ ଗର୍ଗ ଅବସର ନେବେ। ଅବସର ପର୍ଯ୍ୟନ୍ତ ସେ ଯଦି ମୁଖ୍ୟ ସଚିବ ରୁହନ୍ତି, ତେବେ ତାଙ୍କର ଅବଧି ୩ ବର୍ଷ ୩ ମାସ ରହିବ
ଭୁବନେଶ୍ୱର: ଓଡିଶା ପାଇଲା ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ। ଉନ୍ନୟନ କମିଶନର ଭାବେ କାମ କରୁଥିବା ଅନୁ ଗର୍ଗ ହେବେ ମୁଖ୍ୟ ଶାସନ ସଚିବ । ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଥିବା ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ସରୁଥିବାରୁ ତାଂକ ଜାଗାରେ ଅନୁ ଗର୍ଗଙ୍କୁ ଦାୟିତ୍ଵ ଦେଇଛନ୍ତି ରାଜ୍ୟ ସରକାର। ନିଯୁକ୍ତ ପରେ ଅନୁ ଗର୍ଗ କହିଛନ୍ତି, ଏହା ମୋ ପାଇଁ ବଡ଼ ସୁଯୋଗ ଆଣିଛି। ମୁଁ ଖୁସି, ସମସ୍ତ ଦାୟିତ୍ୱକୁ ସୁଚାରୁ ରୂପେ ତୁଲାଇବି। ‘ଓଡ଼ିଶା କିଭଳି ଆଗକୁ ଅଗ୍ରସର ହେବ ଚେଷ୍ଟା କରିବି ବୋଲି ଅନୁ ଗର୍ଗ କହିଛନ୍ତି। ଜାନୁଆରି ପହିଲାରୁ ଶ୍ରୀମତୀ ଗର୍ଗ ନୂଆ ଦାୟିତ୍ବ ସମ୍ଭାଳିବେ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ୨୦୨୯ ମାର୍ଚ୍ଚରେ ଶ୍ରୀମତୀ ଗର୍ଗ ଅବସର ନେବେ। ଅବସର ପର୍ଯ୍ୟନ୍ତ ସେ ଯଦି ମୁଖ୍ୟ ସଚିବ ରୁହନ୍ତି, ତେବେ ତାଙ୍କର ଅବଧି ୩ ବର୍ଷ ୩ ମାସ ରହିବ।
ଶ୍ରୀମତୀ ଗର୍ଗ ଏବେ ଜଳସଂପଦ ଓ ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ଝାରସୁଗୁଡ଼ା ଉପଜିଲ୍ଲାପାଳ ଭାବେ ସେ ତାଙ୍କର ଚାକିରି ଜୀବନ ଆରମ୍ଭ କରିଥିଲେ। ପରେ ବରଗଡ଼, ସମ୍ବଲପୁର ଜିଲ୍ଲାପାଳ ରହିଥିଲେ। ଏହାସହ ସ୍ବାସ୍ଥ୍ୟ, ଶ୍ରମ ଓ ଅନ୍ୟ ବିଭାଗରେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି। ରାଜ୍ୟ ଓ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟ କରିବାର ମଧ୍ୟ ତାଙ୍କର ଅଭିଜ୍ଞତା ରହିଛି। ବରିଷ୍ଠତା ଭିତ୍ତିରେ ତାଙ୍କୁ ମୁଖ୍ୟ ଶାସନ ସଚିବ ପଦବିରେ ନିଯୁକ୍ତି ମିଳିଛି। ରାଜ୍ୟ ପ୍ରଶାସନିକ କ୍ଷେତ୍ରକୁ ଆହୁରି କ୍ରିୟାଶୀଳ କରିବା ଅନୁ ଗର୍ଗଙ୍କ ପାଇଁ ଚ୍ୟାଲେଞ୍ଜ ହେବ। ନୂଆ ସରକାରଙ୍କ ନୂଆ ନୂଆ ଯୋଜନା ଲୋକଂକ ପାଖରେ ପହଞ୍ଚାଇବା ପାଇଁ ଅନୁ ଗର୍ଗ କାମ କରିବେ।