୪୧୫ ଛାତ୍ରଛାତ୍ରୀଙ୍କୁ ମାତ୍ର ୫ ଶିକ୍ଷକ; ତାତିଲେ ଅଭିଭାବକ

ଉମରକୋଟ୍ ୧୬/୦୯: ୪୧୫ ଛାତ୍ରଛାତ୍ରୀଙ୍କୁ ମାତ୍ର ୫ ଶିକ୍ଷକ। ପ୍ରଥମରୁ ଦଶମରୁ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନର ବ୍ୟବସ୍ଥା ଥିବାବେଳେ ନାହାନ୍ତି ଶିକ୍ଷକ। ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ମୋଟ୍ ୩ ଶହ ଛାତ୍ରଛାତ୍ରୀ ଥିବା ବେଳେ ସେମାନଙ୍କ ପାଇଁ ମାତ୍ର ମାତ୍ର ୪ ଶିକ୍ଷକ ଅଛନ୍ତି। ସେହପରି ନବମ ଏବଂ ଦଶମ ଶ୍ରେଣୀ ପାଇଁ ମାତ୍ର ଜଣେ ଶିକ୍ଷୟତ୍ରୀ ଅଛନ୍ତି ପାଠ ପଢ଼ାଉଛନ୍ତି। ଛାତ୍ରଛାତ୍ରୀଙ୍କ ତୁଳନାରେ ନାହାନ୍ତି ଶିକ୍ଷକ। ଫଳରେ ତେଲଗାଁ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଅଭିଭାବକମାନେ ଉତ୍ୟକ୍ତ ହୋଇ ତାଲା ପକାଇଛନ୍ତି। ଏଭଳି ଅବ୍ୟବସ୍ଥାର ଚିତ୍ର ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ ନେଉରା ପଞ୍ଚାୟତରୁ ସାମ୍ନାକୁ ଆସିଛି।
ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର କୁହାଯାଇଥିଲେ ମଧ୍ୟ ସମସ୍ୟାକୁ କେହି ଗୁରୁତର ନେଉନଥିବା ଅଭିଭାବକ ଅଭିଯୋଗ କରିଛନ୍ତି। ଖବର ପାଇ ବ୍ଲକ୍ ଶିକ୍ଷାଧିକାରୀ ବିକାଶ ଚନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ସିଆରସିସି ସତ୍ୟବ୍ରତ କର ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ବୁଝାସୁଝା କରିଥିଲେ। ଅନ୍ୟପଟେ ବିଦ୍ୟାଳୟକୁ ଶିକ୍ଷକ ନ ଆସିବା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ତାଲା ଖୋଲିବେ ନାହିଁ ବୋଲି କହିବା ସହିତ ସିଆରସିସିଙ୍କୁ ମଧ୍ୟ ଅଟକ ରଖିଥିବା ଦେଖିବାକୁ ମିଳିଛି।