ଗୁଜୁରାଟରେ ହତ୍ୟା କରି ବ୍ରହ୍ମପୁରରେ ଲୁଚିଥିଲା ଅଭିଯୁକ୍ତ: ଧରିଲା ଗୁଜୁରାଟ ପୋଲିସ

ବ୍ରହ୍ମପୁର:ଗୁଜୁରାଟରେ ହତ୍ୟା କରି ଓଡିଶା ପଳେଇ ଆସିଥିଲା ଅଭିଯୁକ୍ତ। ବ୍ରହ୍ମପୁରରେ ଲୁଚି ରହି ପୋଲିସକୁ ଚକମା ଦେଉଥିଲା। ଶେଷରେ ଗୁଜୁରାଟ ପୋଲିସ ହାତରେ ନାଟକୀୟ ଭାବେ ଧରା ଦେଇଛି ଅଭିଯୁକ୍ତ ଡି.କେଶବ ପାତ୍ର। ଗିରଫ ଅଭିଯୁକ୍ତ ଶେରଗଡ଼ ଥାନା ଶୁଗୁଳିଆପଲ୍ଲୀ ଗାଁର । କେଶବ ଗୁଜୁରାଟର ପାଣ୍ଡେଶୋର ଅଞ୍ଚଳରେ ଥିବା ସମୟରେ ନିଜ ସାତ ଜଣ ସହଯୋଗୀଙ୍କୁ ନେଇ ଛୁରୀରେ ଅରବିନ୍ଦ ଯାଦବ ନାମକ ଜଣେ ଯୁବକକୁ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ଗୁରୁତର ଅବସ୍ଥାରେ ଅରବିନ୍ଦ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଅରବିନ୍ଦଙ୍କୁ ହତ୍ୟା କରିବା ପରେ ଗୁଜରାଟରୁ ଫେରାର ହୋଇ କେଶବ ବ୍ରହ୍ମପୁରକୁ ଆସି ଏକ ମଦ ଦୋକାନରେ ସେଲସ୍ ମ୍ୟାନ ଭାବେ କାମ କରୁଥିଲା । ଗତକାଲି ରାତିରେ ଗୁଜୁରାଟ ପୋଲିସ ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସର ସହାୟତାରେ କେଶବକୁ ଗିରଫ କରିଥିଲା । ଆଜି ବ୍ରହ୍ମପୁର ଏସଡିଜେଏମଙ୍କ କୋର୍ଟରେ କେଶବକୁ ହାଜର କରି ଗୁଜୁରାଟ ନେଇଛି ପୋଲିସ ।
ଏହି ଘଟଣାରେ ଓଡିଶା ପୋଲିସ ସହିତ ମିଶି ଗୁଜୁରାଟ ପୋଲିସ ଅଧିକ ତନାଘନା କରୁଛି। ଏହି ହତ୍ୟାକାଣ୍ଡରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ସେ ଦିଗରେ ଖୋଳତାଡ଼ କରୁଛି ପୋଲିସ।