ପୁରୀ ବ୍ଲ୍ୟୁ ଫ୍ଲାଗ ବିଚରେ ପାଳିତ ହେବ ଭାରତୀୟ ନୌସେନା ଦିବସ: ରାଜ୍ୟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୪ ତାରିଖରେ ପୁରୀସ୍ଥିତ ବ୍ଲ୍ୟୁ ଫ୍ଲାଗ ବିଚରେ ଭାରତୀୟ ନୌସେନା ଦିବସ ପାଳିତ ହେବାକୁ ଯାଉଛି। ଏହି ଉତ୍ସବରେ ନୌସେନାର ବୈଷୟିକ ଦକ୍ଷତା ଏବଂ ରଣନୈତିକ ପ୍ରସ୍ତୁତି ପ୍ରଦର୍ଶନ ସହିତ ଆକର୍ଷଣୀୟ ପରେଡ୍, ଅପରେସନ୍ ପ୍ରଦର୍ଶନ ଏବଂ ନୌସେନା ସାମର୍ଥ୍ୟ ପ୍ରଦର୍ଶିତ ହେବାକୁ ଯାଉଛି।ଏହି କାର୍ଯ୍ୟକ୍ରମରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସମେତ ରାଜ୍ୟପାଳ ଶ୍ରୀ ରଘୁବର ଦାସ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଭାରତୀୟ ନୌସେନାର ବରିଷ୍ଠ ଅଧିକାରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରାଯାଇଛି।
ଏହି ଅବସରରେ ଆଜି ଭୁବନେଶ୍ୱରଠାରେ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହା ସହ ଏହି ଦିବସକୁ ଶୃଙ୍ଖଳିତ ଭାବେ ପାଳନ କରାଯିବା ଉପରେ ଡିଜିପି ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନ ଏବଂ ନୌସେନାର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ସମସ୍ତ ପ୍ରକାର ପ୍ରୟାସ କରାଯିବା ଉପରେ ଡିଜିପି ଶ୍ରୀ ଖୁରାନିଆ ଗୁରୁତ୍ୱାରୋପ କରିଛନ୍ତି।
ପ୍ରଥମଥର ପାଇଁ ଭାରତୀୟ ନୌସେନା ପକ୍ଷରୁ ଓଡିଶାରେ ଏହି ଦିବସ ଆୟୋଜିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ଭାରତୀୟ ନୌସେନାର ମିଗ୍-୨୯କେ ଏବଂ ଏଲସିଏ ନୌସେନା ସମେତ ୪୦ଟି ବିମାନ ସହ 25ଟି ଯୁଦ୍ଧ ଜାହାଜ ଅଂଶଗ୍ରହଣ କରିବେ। ଏହା ସହ ଯୁଦ୍ଧ ବେଳାଭୂମି ଅନୁଧ୍ୟାନ ଏବଂ ନୌସେନାର ସାମୁଦ୍ରିକ କମାଣ୍ଡୋଙ୍କ ଡେମୋ ମଧ୍ୟ ଦେଖିବାକୁ ମିଳିବ। ଭାରତୀୟ ନୌସେନାର ଅତ୍ୟାଧୁନିକ ଜାହାଜ ଏବଂ ବିମାନକୁ ସିଧାସଳଖ ସାଧାରଣ ଜନତା ଦେଖିଵା ଉପରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଥିବା ସଂକ୍ରାନ୍ତରେ ବୈଠକରେ ଆଲୋଚନା ହୋଇଥିଲା। ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ, ଶ୍ରୀ ଆର. ପି. କୋଚେ, BPSPA ନିର୍ଦ୍ଦେଶକ, ଶ୍ରୀ ସଞ୍ଜୀବ ପଣ୍ଡା, ADGP ରେଳବାଇ ଓ ଉପକୂଳ ସୁରକ୍ଷା, ଶ୍ରୀ ଅରୁଣ ବୋଥ୍ରା, ADGP( ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର, ଟ୍ରାନ୍ସପୋର୍ଟ କମିଶନର, ଶ୍ରୀ ଅମିତାଭ ଠାକୁର, ADGP( ମୁଖ୍ୟାଳୟ) ଶ୍ରୀ ଦୟାଲ ଗଙ୍ଗୱାର, ADGP ( ଏସଏପି) ଶ୍ରୀ ରାଜେଶ କୁମାରଙ୍କ ସମେତ ଭାରତୀୟ ନୌସେନା ଏବଂ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।