ମୋ ବସ୍ର ସ୍ପିଡରେ ଲାଗିମ ଲଗାମ : ୪୦ରୁ ଅଧିକ ରହିବ ନାହିଁ ମୋ ବସର ବେଗ

ଭୁବନେଶ୍ୱର: ସାବାଡ ହେବେ ଅମାନିଆ ମୋ’ ବସ୍ ଡ୍ରାଇଭର ଓ କର୍ମଚାରୀ! ଚେତାବନୀ ଦେଲେ ମନ୍ତ୍ରୀ। ସହର ଭିତରେ ବୁଲୁଥିବା ମୋ’ ବସ୍ର ସ୍ପିଡ୍ ଲିମିଟ୍ ୪୦ରୁ ଅଧିକ ରହିବ ନାହିଁ। ଯେଉଁ ବସ୍ ଗୁଡ଼ିକ ବାହାରକୁ ଯାଉଛି, ତାହାର ସ୍ପିଡ୍ ୫୦ ରହିବ। ଏହି ନିର୍ଦ୍ଦେଶକୁ ଯଥାଶୀଘ୍ର ଲାଗୁ କରିବା ପାଇଁ କୁହାଯାଇଛି। ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।
ଗଣମାଧ୍ୟମକୁ ସେ କହିଛନ୍ତି, ନିୟମିତ ବ୍ୟବଧାନରେ ବସ୍ ଗୁଡ଼ିକୁ ଯାଞ୍ଚ କରାଯିବ। ବସ୍ ଚାଳକଙ୍କ ଲାଇସେନ୍ସ ଚେକିଂ ହେବ। ଯିଏ ଲାଇସେନ୍ସ ଆଣିଥିବେ, ସେମାନେ ଗାଡ଼ିରେ ଚଢ଼ିବ। ଏହାଛଡ଼ା ବସ୍ ଚଢ଼ିବା ପୂର୍ବରୁ କର୍ମଚାରୀମାନେ ମଦ ପିଇଛନ୍ତି କି ନାହିଁ, ତାହାର ଯାଞ୍ଚ ହେବ ବୋଲି ମନ୍ତ୍ରୀ କହିଛନ୍ତି। ବିଭିନ୍ନ ସମୟରେ ମୋ ବସ ଚାଳକଙ୍କ ମନମୁଖୀ ଗାଡି ଚାଳନା ହେତୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହୁଥିଲା। ରାସ୍ତାରେ ଦ୍ରୁତ ବେଗରେ ମୋ ବସ ଯାଉଥିବାରୁ ଲୋକେ ଦୁର୍ଘଟଣାର ଶିକାର ହେଉଥିଲେ। ଏମିତି କି ମୋ ବସରେ ଦୁର୍ଘଟଣାରେ ଲୋକଙ୍କ ଜୀବନ ଯାଇଥିବା ନଜିର ରହିଛି। ତେଣୁ ଏ ସବୁ ଦୃଷ୍ଟିକୁ ଆଖି ଆଗରେ ରଖି ରାଜ୍ୟ ପରିବହନ ବିଭାଗ ଏଭଳି ନିଷ୍ପତ୍ତି ନେଇଛି।