କଟକ କାଳୀପୂଜା ଭଷାଣୀରେ ଗୋଷ୍ଠୀ ସଂଘର୍ଷ: ଢେଲାପଥର ସହ କାଚ ବୋତଲ ମାଡ

କଟକ: କଟକ କାଳିପୂଜା ଭଷାଣୀରେ ଦୁଇଗୋଷ୍ଠୀ ମୁଁହାମୁହିଁ ହୋଇଛନ୍ତି। ଚାନ୍ଦିନୀଚୌକ ରୟାଲ ଗାର୍ଡେନ ନିକଟରେ ଦୁଇଗୋଷ୍ଠୀ ଗଣ୍ଡଗୋଳ ହେବା ସହ ଉଭୟପକ୍ଷଙ୍କ ମଧ୍ୟରେ ପ୍ରବଳ ଢେଲାପଥର ସହ କାଚ ବୋତଲ ମାଡ ହୋଇଛି । ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରବଳ ମାରପିଟ ହୋଇଥିଲା। ଏଥିରେ ୫ ରୁ ୬ ଜଣ ଆହତ ହୋଇ ମେଡିକାଲ ରେ ଭର୍ତ୍ତି ହୋଇଥିବାବେଳେ ଲାଲବାଗ ଥାନା ପୋଲିସ ପହଁଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି। ପୋଲିସର ସୁଚନା ଅନୁଯାୟୀ ମହମ୍ମଦିୟା ବଜାର ଅଞ୍ଚଳର କିଛି ଯୁବକ ମେଢ ବିସର୍ଜନ କରି ଫେରୁଥିବା ସମୟରେ ଚାନ୍ଦିନୀଚୌକ ହସିନାବାଗ ଅଞ୍ଚଳର କିଛି ଯୁବକଙ୍କ ସହ ପାଟିତୁଣ୍ଡ ହୋଇଥିଲା। ଏହାପରେ ଉଭୟ ପକ୍ଷଙ୍କ ମଧ୍ୟରେ ଢେଲାପଥର ମାଡ଼ ସହ କାଚ ବୋତଲ ଫିଙ୍ଗିଥିଲେ । ଗଣ୍ଡଗୋଳକାରୀ ମାନେ ଗୋଟିଏ ଦୋକାନ ଭାଙ୍ଗିବା ସହ ୩ ଟି ବାଇକ ମଧ୍ୟ ଭଙ୍ଗାରୁଜା କରିଛନ୍ତି। ତେବେ ଗଣ୍ଡଗୋଳ ର ପ୍ରକୃତ କାରଣ ଜଣାପଡ଼ି ନଥିବାବେଳେ ଲାଲବାଗ ଥାନା ପୋଲିସ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଛାନବିନ ଆରମ୍ଭ କରିଛି।
ଅନ୍ୟପଟେ ଗତ କାଲି କଟକରେ କାଳୀ ଭାଷାଣୀ ଚାଲିଥିବା ସମୟରେ ଲାଠି ଚାର୍ଜ ହୋଇଥିଲା। ଚୌଦୂରୀ ବଜାର ପୂର୍ଣ୍ଣ ସାହୁ ଛକ ନିକଟରେ ଲାଠି ଚାର୍ଜ କରାଯାଇଥିଲା। ମେଢ଼ ଅଟକି ରହିବା ଓ ପେଲା ଠେଲା ହେବାରୁ ଲାଠି ଚାର୍ଜ ହେଇଥିବା କୁହାଯାଉଛି। ସୂଚନା ମୁତାବକ ୩ଟି ମେଢ଼ ରାସ୍ତା କୁ ସମ୍ପୂର୍ଣ ବ୍ଲକ କରି ଗୀତ ଲଗାଇ ନାଚୁଥିଲେ। ଯେତେବେଳେ ପୋଲିସ ପହଁଚି ଥିଲା ପୋଲିସ ଓ କିଛି ପିଲାଙ୍କ ମଧ୍ୟରେ ପେଲା ଠେଲା ହୋଇଥିଲା। ଫଳରେ ପୋଲିସ ଲାଠି ଚାର୍ଜ କରିଥିଲା।