କନ୍ଧମାଳରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି

ଭୁବନେଶ୍ୱର:କନ୍ଧମାଳ ଦାରିଙ୍ଗବାଡ଼ି ଅଞ୍ଚଳରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟିବା ଘଟଣା। ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି। ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତର ସହ ନେଇ ନାହାନ୍ତି । ଘଟଣାକୁ ଚପାଇବା ଦେବା ଲାଗି ରାଜ୍ୟଠୁ ନେଇ ଜିଲ୍ଲାସ୍ତର ପର୍ଯ୍ୟନ୍ତ କାର୍ଯ୍ୟ କରାଯାଉଛି। ଉପ ମୁଖ୍ୟମନ୍ତ୍ରୀ ଆମ୍ବ ଟାକୁଆ ସେ ଅଞ୍ଚଳର ନିୟମିତ ଖାଦ୍ୟ ବୋଲି କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଜାତୀୟ ଖାଦ୍ୟ ସୁରକ୍ଷାରୁ ବାଦ ପଡିଥିବା ରାଜ୍ୟ ଖାଦ୍ୟ ସୁରକ୍ଷାରେ ୨୫ ଲକ୍ଷ ଲୋକଙ୍କୁ ସାମିଲ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାତ୍ର ଆଜି ରାଜ୍ୟରେ ସାଧାରଣ ବଣ୍ଟନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଜାତୀୟ ଖାଦ୍ୟ ସୁରକ୍ଷାରେ ସାମିଲ ହୋଇଥିଲେ ମଧ୍ୟ ୪ ମାସ ଧରି ସେମାନେ ଚାଉଳ ପାଇ ନାହାନ୍ତି । ମାତ୍ର ଡବଲ ଇଞ୍ଜିନ କେବଳ ସରକାର ପ୍ରଚାର ପ୍ରସାରରେ ସୀମିତ।ରାଜ୍ୟର କୌଣସି ସ୍ଥାନରେ ଏ ଘଟନା ପୁନରାବୃତ୍ତି ନ ହେଉ। ରାଜ୍ୟ ପାଇଁ ଏହା ଏକ ଲଜ୍ଜ୍ୟା ଘଟଣା। ରାଜ୍ୟ ସରକାରଙ୍କ ପାଇଁ ଏହା ଏକ ଆହ୍ୱାନ ମଧ୍ୟ। ସରକାର ତୁରନ୍ତ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସୁଧାର ଆଣନ୍ତୁ। ଲୋକଙ୍କୁ ସଠିକ ଭାବେ ଠିକ ସମୟରେ ଚାଉଳ ବଣ୍ଟନ କରନ୍ତୁ ବୋଲି ଦଳ ପକ୍ଷରୁ ବିଜେଡି ନେତା ସଞ୍ଜୟ ଦାସବର୍ମା କହିଛନ୍ତି। ରାସନ ବିଭ୍ରାଟ ପାଇଁ ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡି।