ଟ୍ରେନ ଧକ୍କାରେ ଦନ୍ତାହାତୀର ମୃତ୍ୟୁ: ଢେଙ୍କାନାଳରେ ଅଭାବନୀୟ ଘଟଣା

ଢେଙ୍କାନାଳ: ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ ହୋଇଛି।ଢେଙ୍କାନାଳ-ଅନୁଗୁଳ ମଧ୍ୟରେ ମେରା ମଣ୍ଡଳୀ ଷ୍ଟେସନ ନିକଟରେ ଘଟିଛି ଦୁର୍ଘଟଣା। ଗତକାଲି ବିଳମ୍ବିତ ରାତିରେ ଏକ ମାଲବାହୀ ଟ୍ରେନ ଧକ୍କା ଦେଇଥିବା ଅନୁମାନ କରାଯାଉଛି। କୁହାଯାଉଛି ମୃତ ହାତୀଟି ଦନ୍ତା ହାତୀ ହୋଇଥିବା ବେଳେ ଟ୍ରେନ ଲାଇନ ପାର ହେଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥାଇ ପାରେ। ଘଟଣା ଘଟିବା ପରେ ବନ ବିଭାଗ ପାଖରେ ଖବର ପହଞ୍ଚିଥିଲା। ତୁରନ୍ତ ଘଟଣାସ୍ଥଳରେ ବନବିଭାଗ ଟିମ ଓ ସ୍ଥାନୀୟ ପୋଲିସ ପହଞ୍ଚିଛି। କିଭଳି ଓ କେଉଁ ପରିସ୍ଥିତିରେ ଟ୍ରେନ ଧକ୍କା ଦେଲା ଘଟଣାର ତଦନ୍ତ କରାଯାଉଛି। ନିୟମିତ ବ୍ୟବଧାନରେ ଢେଙ୍କାନାଳ ରେଞ୍ଜରେ ହାତୀ ମୃତ୍ୟୁ ଖବର ସାମ୍ନାକୁ ଆସୁଛି। କେତେବେଳେ ଟ୍ରେନରେ କଟି ହାତୀର ମୃତ୍ୟୁ ହେଉଛି ତ ପୁଣି କେତେବେଳେ ଶିକାରୀ ବିଛାଇଥିବା ବିଦ୍ୟୁତ ତାରରେ ହାତୀର ମୃତ୍ୟୁ ଖବର ସାମ୍ନାକୁ ଆସୁଛି। ଏଭଳି ହାତୀ ମୃତ୍ୟୁ ଘଟଣାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ଆଗକୁ ଯେମିତି ଢେଙ୍କାନାଳ ରେଂଜରେ ହାତୀ ମୃତ୍ୟୁ ନ ଘଟିବ ସେଥିପାଇଁ ବନ ବିଭାଗ ବିହିତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଆହ୍ୱାନ ଦେଇଛନ୍ତି।