ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ: ଦୁର୍ନୀତି ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି’କୁ ଗୁରୁତ୍ତ୍ୱ

ଭୁବନେଶ୍ୱର: ପାଳିତ ହୋଇଛି ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ – ୨୦୨୪। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖମନ୍ତ୍ରୀ ମୋହନ ମାଝୀ। ଦୁର୍ନୀତି ନିବାରଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଅଧିକାରୀଙ୍କୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ଦୁର୍ନୀତି ବିରୁଦ୍ଧରେ ‘ଶୂନ୍ୟ ସହନଶୀଳତା ନୀତି’କୁ ଗୁରୁତ୍ଵ ଦେଉଛନ୍ତି। ଓଡ଼ିଶା ଭିଜିଲାନ୍ସକୁ ସୁଦୃଢ଼ କରିବା ପାଇଁ ଆବଶ୍ୟକୀୟ ମାନବ ସମ୍ବଳ, ଭିତ୍ତିଭୂମି, ପ୍ରଯୁକ୍ତିବିଦ୍ୟା ଖୁବଶୀଘ୍ର ଯୋଗାଇଦିଆଯିବ। ବିଭାଗ ପାଇଁ ୮ଟି ନୂତନ ଅତିରିକ୍ତ ଏସ୍.ପି. ପଦବୀ, ୨୪ଟି ନୂତନ ଡି.ଏସ୍.ପି. ପଦବୀ ବୃଦ୍ଧି ସହ ୧୬ଜଣ ସବଇନ୍ସପେକ୍ଟର ନିୟୋଜିତ କରାଯିବ।
ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ରାଜ୍ୟ ଫରେନସିକ୍ ବିଜ୍ଞାନ ପରୀକ୍ଷାଗାରର ଏକ ନୂତନ ଯ଼ୁନିଟ୍’ଭିଜିଲାନ୍ସ ଫରେନସିକ୍ ବିଜ୍ଞାନ ପରୀକ୍ଷାଗାର’ ନାମରେ ପ୍ରତିଷ୍ଠା କରାଯିବ, ଯାହାକି ଭିଜିଲାନ୍ସର ଆବଶ୍ୟକତାକୁ ପୂରଣ କରିବ। ଏହାଦ୍ୱାରା ତଦନ୍ତ, ଅନୁସନ୍ଧାନ, ତଦାରଖ ଏବଂ ଦୁର୍ନୀତି ମାମଲାର ବିଚାର ପ୍ରକ୍ରିୟା ଆହୁରି ତ୍ୱରାନ୍ୱିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି।