ରେଳ ଭଡ଼ାରେ ପୁଣି ସିନିୟର ସିଟିଜେନଙ୍କୁ ମିଳିବ ରିହାତି!

ନୂଆଦିଲ୍ଲୀ ୮।୯: ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ଲାଗି ଖୁସିଖବର। ଲୋକଙ୍କ ଦାବିରେ ରେଳବାଇ ସିନିୟର ସିଟିଜେନଙ୍କୁ ପୁଣି ଥରେ ଭଡାରେ ରିହାତି ଦେବାକୁ ବିଚାର କରୁଛନ୍ତି। ଯଦି ଏହି ନିୟମ ଲାଗୁ କରାଯାଏ ତେବେ ବରିଷ୍ଠ ନାଗରିକ, ଖେଳାଳି ଓ ଅନ୍ୟ କ୍ୟାଟଗରୀର ଯାତ୍ରୀଙ୍କୁ ପୂର୍ବ ଭଳି ରିହାତି ଟିକେଟ୍ ମିଳିବା ଆରମ୍ଭ ହୋଇଯିବ। ତେବେ ରେଳବାଇ ରିହାତି ବନ୍ଦକରି ବେଶ୍ ସମାଲୋଚନାର ଶିକାର ହୋଇଥିଲେ।
ବୟସ ସୀମାରେ ହୋଇପାରେ ପରିବର୍ତ୍ତନ
ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଟିକେଟ୍ ମୂଲ୍ୟରେ ପୁଣି ଥରେ ରିହାତି ଦେବା ପାଇଁ ରେଳବାଇ ବୟସ ସୀମାରେ ପରିବର୍ତ୍ତନ କରିପାରନ୍ତି। ଆଶା କରାଯାଉଛି ସରକାର ରିହାତି ଭଡାର ସୁବିଧା ୭୦ ବର୍ଷରୁ ଅଧିକ ବୟଷ୍କ ଲୋକଙ୍କ ଲାଗି ଉପଲବ୍ଧ କରିପାରନ୍ତି। ପୂର୍ବରୁ ଏହି ସୁବିଧା ୫୮ ବର୍ଷର ମହିଳା ଓ ୬୦ ବର୍ଷ ପୂରଣ ହୋଇଥିବା ପୁରୁଷଙ୍କୁ ମିଳୁଥିଲା।
୫୮ ବର୍ଷ ବା ଏହାଠାରୁ ଅଧିକ ବୟସ୍କ ମହିଳାଙ୍କୁ ଟିକେଟ୍ରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳୁଥିବା ବେଳେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ପୁରୁଷଙ୍କୁ ୪୦ ପ୍ରତିଶତ ରିହାତି ମିଳୁଥିଲା। ଏହି ରିହାତି ରେଳବାଇଙ୍କ ଯେ କୌଣସି ଶ୍ରେଣୀରେ ମିଳୁଥିଲା।