ନୂଆପଡାରେ ଫାଷ୍ଟ ଫୁଡ ଦୋକାନୀଙ୍କୁ ଗୁଳିମାଡ ଘଟଣାର ପ୍ରତିବାଦ: ମେହେର ସମାଜ ଯୁବା ମଞ୍ଚ ପକ୍ଷରୁ ଆନ୍ଦୋଳନ

ନୂଆପଡା: ନୂଆପଡ଼ା ଜିଲ୍ଲା ସିନାପାଲି ଥାନା କାପସି ଛକରେ ଫାଷ୍ଟ ଫୁଡ ଦୋକାନୀଙ୍କୁ ଗୁଳିମାଡ ଘଟଣାର ପ୍ରତିବାଦରେ ଆଜି ମେହେର ସମାଜ ଯୁବା ମଞ୍ଚ ପକ୍ଷରୁ ସିନାପାଲି କାପସି ଛକରେ ରାସ୍ତା ରୋକ ଆନ୍ଦୋଳନ କରାଯାଇଛି। ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଓ ହତ୍ୟାକାରୀଙ୍କ ବିରୋଧରେ ଆଇନଗତ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ କାପସି ଛକରେ ଶବ ରଖି ରାସ୍ତା ରୋକ ଜାରି ରହିଛି।ଯାଫଳରେ ଖଡ଼ିଆଳ- ସିନାପାଲି ଓ ସିନାପାଲି – ଧର୍ମଗଡ଼ ରାସ୍ତାରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇପଡିଛି। ଗତ ୭ ତାରିଖ ଦିନ ରାତ୍ରି ୯ ଘଣ୍ଟା ସମୟ ରେ ସିନାପାଲି କାପସି ଛକରେ ଫାଷ୍ଟ ଫୁଡ ଦୋକାନୀ ନୀଳାମ୍ବର ମେହେରଙ୍କୁ ଗୁଳି ମାଡ ହୋଇଥିଲା। ତାଙ୍କ ତଳି ପେଟରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରିବା ପରେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।ହେଲେ ତାଙ୍କ ଅବସ୍ଥା ଶଙ୍କଟାପନ୍ନ ହେବାରୁ ରାୟପୁର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଚିକତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ସକାଳେ ନୀଳାମ୍ବରଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।ଆଜି ମୃତ ଦେହ ନିଜ ଗାଁ ସିନାପାଲିରେ ପହଂଚିବା ପରେ ଉତ୍ତେଜନା ଦେଖାଦେଇଛି। ମୃତକଙ୍କ ପରିବାର ଓ ସିନାପାଲି ମେହେର ସମାଜ ଯୁବା ମଞ୍ଚ ପକ୍ଷରୁ କାପସି ଛକ ରେ ମୃତକଙ୍କ ଶବ ରଖି ରାସ୍ତା ରୋକ ଆନ୍ଦୋଳନ କରାଯାଇଛି।ସିନାପାଲି ପୋଲିସ ଓ ସ୍ଥାନୀୟ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରିଙ୍କ ସହ ଆଲୋଚନା ଜାରି ରଖିଛନ୍ତି।