ଖାରଜ ହେଲା ଖଣି ଟିକସ ରିଭ୍ୟୁ ପିଟିସନ

ନୂଆଦିଲ୍ଲୀ: ଖଣି ଟ୍ୟାକସ ସମ୍ପର୍କୀତ ନିର୍ଦ୍ଦେଶନାମାର ରିଭ୍ୟୁ ପାଇଁ ଆଗତ ପିଟିସନକୁ ଖାରଜ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଗତ ଜୁଲାଇ ୨୫ ତାରିଖରେ ସୁପ୍ରିମକୋର୍ଟଙ୍କ ୯ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଖଣି ଓ ଏଥି ସଲଗ୍ନ ଜମିରୁ ରାଜ୍ୟ ସରକାର ମାନେ ସ୍ୱତନ୍ତ୍ର ରୟାଲିଟି ଆଦାୟ କରି ପାରିବେ ବୋଲି ୮- ୧ ରେ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶନାମାର ରିଭ୍ୟୁ କରିବା ପାଇଁ କେନ୍ଦ୍ର ସରକାର, କର୍ଣ୍ଣାଟକ ଆଇରନ ଓ ଷ୍ଟିଲ ମାନୁଫାକଚରସ ଆସୋସିଏସନ ପକ୍ଷରୁ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରାଯାଇଥିଲା। ପ୍ରଧାନ ଵିଚାରପତି ଡକ୍ଟର ଜଷ୍ଟିସ ଧନଞ୍ଜୟ ୱାଇ ଚନ୍ଦ୍ରଚୁଡ଼ଙ୍କ ସମେତ ୮ ଜଣ ବିଚାରପତି ରିଭ୍ୟୁ କରିବାର ଆବଶ୍ୟକତା ନଥିବା ଦର୍ଶାଇଛନ୍ତି। ତେବେ ଜଣେ ମାତ୍ର ବିଚାରପତି ଜଷ୍ଟିସ ବି ଭି ନାଗରତ୍ନା ରିଭ୍ୟୁ ସପକ୍ଷରେ ଅଛନ୍ତି। ସୁପ୍ରିମକୋର୍ଟ ରୂଲ ୨୦୧୩ ଅନୁଯାୟୀ ଏହି ନିର୍ଦ୍ଦେଶନାମାରେ ରିଭ୍ୟୁ କରିବାର ଆବଶ୍ୟକତା ନଥିବା ସୁପ୍ରିମକୋର୍ଟ ଦର୍ଶାଇଛନ୍ତି।
ଜୁଲାଇ ୨୫ ତାରିଖରେ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶନାମା ଦେବା ପରେ ଏହି ନିର୍ଦ୍ଦେଶନାମା ପିଛିଲା ଭାବେ ଲାଗୁ ହେବ କି ନିର୍ଦ୍ଦେଶ ଆସିବା ପର ଠାରୁ ଲାଗୁ ହେବ ତାକୁ ନେଇ ଉଠିଥିଲା ଝଡ଼। ପିଛିଲା ଭାବେ ଲାଗୁ କଲେ କିଛି ଖଣି କମ୍ପାନୀ ଦେବାଳିଆ ଅବସ୍ଥାକୁ ଆସିବେ ବୋଲି ମତପ୍ରକାଶ ପାଇଥିଲା। ଅଗଷ୍ଟ ୧୪ ତାରିଖରେ ସୁପ୍ରିମକୋର୍ଟ ଏ ନେଇ ବିସ୍ତୃତ ଶୁଣାଣି କରିବା ପରେ ବକେୟା ଥିବା ଟିକସ ରାଜ୍ୟ ମାନେ ଆଦାୟ କରି ପାରିବେ ବୋଲି ସୁପ୍ରିମକୋର୍ଟ କହିଥିଲେ। ୨୦୦୫ ଏପ୍ରିଲ ୧ ତାରିଖରୁ ଏହି ବକେୟା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିଲେ ଅଦାଲତ। ଏହି ବକେୟା ୨୦୨୬ ଏପ୍ରିଲ ୧ ତାରିଖରୁ ୧୨ ବର୍ଷ ପର୍ଯ୍ୟନ୍ତ ୧୨ ଟି କିସ୍ତିରେ ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ।