ସାଇରସ୍ ମିସ୍ତ୍ରୀଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ଟାଟା ଗ୍ରୁପର ପୂର୍ବତନ ଚେୟାରମ୍ୟାନ ସାଇରସ୍ ମିସ୍ତ୍ରୀଙ୍କର ରବିବାର ମୁମ୍ବାଇର ପାଲଘର ଅଞ୍ଚଳରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ପାଲଘର ଏସପି ଦୁର୍ଘଟଣାରେ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ଖବରକୁ ପୁଷ୍ଟି କରିଥିବା ବେଳେ ସେ ଅହମ୍ମଦାବାଦରୁ ଫେରିବା ରାସ୍ତାରେ ପାଲଘର ଚାରୋଟିରେ ଦୁର୍ଘଟଣାର ଶିକାର ହୋଇଥିବା ସୂଚିତ କରିଛନ୍ତି। ସାଇରସ୍ ମିସ୍ତ୍ରୀଙ୍କ ପରଲୋକ ଖବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକଟ କରିଛନ୍ତି।
ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟ୍ୱିଟ୍ କରିଥିବାବେଳେ ସାଇରସ୍ ମିସ୍ତ୍ରୀଙ୍କ ଅସମୟ ନିଧନରେ ମୁଁ ସ୍ତବ୍ଦ ବୋଲି ଉଲ୍ଲେଖ କରିଛନ୍ତି। ସେ ଜଣେ ଯୋଗ୍ୟ ବ୍ୟବସାୟୀ ଥିଲେ ଯିଏ ଭାରତର ଆର୍ଥିକ ଶକ୍ତିରେ ବିଶ୍ୱାସ ରଖୁଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ତାଙ୍କର ଏପରି ପରଲୋକ ଦେଶର ବାଣିଜ୍ୟ ଓ ଉଦ୍ୟୋଗ ଜଗତ ଲାଗି ଏକ ବଡ କ୍ଷତି ବୋଲି ମୋଦି ଉଲ୍ଲେଖ କରିଛନ୍ତି। ତାଙ୍କ ପରିବାର ଓ ଜ୍ଞାତିଙ୍କ ପ୍ରତି ପ୍ରଧାନମନ୍ତ୍ରୀ ସମବେଦନା ଜ୍ଞାପନ କରିଥିବା ବେଳେ ମୃତକଙ୍କ ଆତ୍ମାର ସଦଗତି କାମନା କରିଛନ୍ତି।