ଚାଇନିଜ ଲୋନ ଆପ୍ସ ମାମଲା, ପେଟିଏମର ରେଜରପେ ଓ କ୍ୟାସଫ୍ରି ଠିକଣାରେ ଇଡିର ଚଢାଉ

ଚାଇନିଜ୍ ଲୋନ ଆପ୍ସ ମାମଲାରେ ଆକ୍ସନ ମୋଡକୁ ଆସିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି କ୍ରମରେ ଆଜି ପେଟିଏମର ରେଜର ପେ ଓ କ୍ୟାସ ଫ୍ରିର ବିଭିନ୍ନ କାର୍ଯ୍ୟାଳୟ ଉପରେ ଚଢାଉ କରାଯାଇଛି । ବେଙ୍ଗାଲୋରର ଥିବା ୬ ଟି କାର୍ଯ୍ୟାଳୟ ଉପରେ ଇଡି ଚଢାଉ କରିଛି ।
ଇଡିର କହିବା ମୁତାବକ ଶୁକ୍ରବାର ଠାରୁ ଏପର୍ଯ୍ୟନ୍ତ ବେଙ୍ଗାଲୋରରେ ଥିବା ୬ ଟି କାର୍ଯ୍ୟାଳୟ ଉପରେ ଚଢାଉ ଜାରି ରହିଛି । ଚଢାଉ ବେଳେ ଚୀନ ଲୋକଙ୍କ ଦ୍ୱାରା ନିୟନ୍ତ୍ରିତ ସଂସ୍ଥାଗୁଡିକର ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଜବତ ହୋଇଛି । ଏହି ବ୍ୟାଙ୍କ ଆକାଉଣ୍ଟଗୁଡିକରେ ୧୭ କୋଟି ଟଙ୍କା ଥିବା କଥା କୁହାଯାଇଛି ।
ଇଡିର ସୂଚନା ମୁତାବକ ଏହି କମ୍ପାନୀଗୁଡିକ ଭାରତୀୟ ନାଗରିକଙ୍କ ମିଛ ଦସ୍ତାବିଜ ପ୍ରସ୍ତୁତ କରି ସେମାନଙ୍କୁ ଡମି ନିର୍ଦ୍ଦେଶକ ଭାବେ ଦର୍ଶାଉଛନ୍ତି । ଏମାନେ ଏଭଳି କାମ କରି ବେଆଇନ ରୋଜଗାର କରୁଛନ୍ତି । ଏହା ଚୀନ ଲୋକଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଥିବା କଥା ଇଡି କହିଛି ।
ଇଡି କହିଛି କି, ରେଜରପେ ପ୍ରାଇଭେଟ ଲିମିଟେଡ, କ୍ୟାସଫ୍ରି ପେମେଣ୍ଟ ସର୍ଭିସ ଲିମିଟେଡ ପରି କମ୍ପାନୀଗୁଡିକର ଠିକଣାରେ ଚଢାଉ ଜାରି ରହିଛି । ଏମାନେ ବେଆଇନ ଭାବେ ଲୋକଙ୍କୁ ଋଣ ଦେଇ ସେମାନଙ୍କ ଠାରୁ ମାତ୍ରାଧିକ ସୂଧ ଆଦାୟ କରୁଛନ୍ତି ।