thelifelinemedia
Latest Odisha News, Breaking News Today

କେଜ୍ରିୱାଲଙ୍କୁ ମିଳିଲା ଜାମିନ: ଖୁବ ଶୀଘ୍ର ମୁକୁଳିବେ ଜେଲରୁ 

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଦ୍ଵାରା ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ। ମାନ୍ୟବର ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ମାନ୍ୟବର ବିଚାରପତି ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ ସେପ୍ଟେମ୍ବର ୫ରେ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ଏହି ରାୟ ପ୍ରକାଶ କରି ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ। ଟ୍ରାଏଲ କୋର୍ଟକୁ ମାମଲାର ଶୁଣାଣିରେ ସହଯୋଗ କରିବାକୁ ସର୍ତ୍ତ ରଖିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ପୂର୍ବରୁ ଇଡି ମାମଲାରେ ଥିବା ସର୍ତ୍ତ ଏହି ମାମଲାରେ ଲାଗୁ କରିଛନ୍ତି ସୁପ୍ରିମକୋର୍ଟ।ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ପ୍ରସଙ୍ଗରେ ଅରବିନ୍ଦ କେଜରିୱାଲ ସର୍ଵସାଧାରଣରେ କୌଣସି ମତ ରଖି ପାରିବେନି ବୋଲି ସୁପ୍ରିମକୋର୍ଟ ସର୍ତ୍ତ ରଖିଛନ୍ତି। ଅରବିନ୍ଦ କେଜ୍ରିୱାଲଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଦୁଇଟି ପୃଥକ ଆବେଦନ କରାଯାଇଥିଲା। ସିବିଆଇ ଦ୍ୱାରା ହୋଇଥିବା ଗିରଫଦାରୀକୁ ଚାଲେଞ୍ଜ କରି ଗୋଟିଏ ମାମଲା କରିଥିବା ବେଳେ ଅନ୍ୟଟି ସିବିଆଇ ଗିରଫଦାରୀ ଘଟଣାରେ ଜାମିନ ଆବେଦନ କରିଥିଲେ। ପୂର୍ବରୁ ସେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ହାଇକୋର୍ଟ ଅଗଷ୍ଟ ୨ ତାରିଖରେ କେଜରିୱାଲ ଆବେଦନକୁ ଅଗ୍ରାହ୍ୟ କରି ଏଥିପାଇଁ ଟ୍ରାଏଲ କୋର୍ଟକୁ ଯିବାକୁ କହିଥିଲେ। ଏହି ରାୟ ବିରୋଧରେ କେଜରିୱାଲ ତୁରନ୍ତ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାର୍ଚ୍ଚ ୨୧ ତାରିଖରେ କେଜରିୱାଲଙ୍କୁ ପ୍ରଥମେ ଇଡି ଗିରଫ କରିଥିଲା। ସେ ଇଡି ମାମଲାରେ ଜେଲରେ ଥିବା ବେଳେ ସିବିଆଇ ତାଙ୍କୁ ଜୁନ ୨୬ ରେ ଆନୁଷ୍ଠାନିକ ଭାବେ ଗିରଫ କରିଥିଲା। ମନୀଷ ସିସୋଦିଆ, ସଞ୍ଜୟ ସିଂ ଏବଂ ଆପ ର ଅନ୍ୟ ନେତାଙ୍କୁ ଏହି ମାମଲାରେ ସୁପ୍ରିମକୋର୍ଟ ପୂର୍ବରୁ ଜାମିନ ପ୍ରଦାନ କରିଛନ୍ତି।

Leave A Reply

Your email address will not be published.