thelifelinemedia
Latest Odisha News, Breaking News Today

ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲଗାତର ୩ ଦିନର ଲଗାଣ ବର୍ଷାରେ ବେହାଲ ହୋଇ ପଡ଼ିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା। ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ଆସିଥିବା ବେଳେ ଏବେ କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଜିଲ୍ଲାର ଅନେକ ଅଞ୍ଚଳର ରାସ୍ତାଘାଟ ମଧ୍ୟ ଧୋଇ ହୋଇଯାଇଛି । ବନ୍ୟା ସ୍ଥିତିର ସମୀକ୍ଷା ପାଇଁ ଆଜି ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀ ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ କ୍ଷୟକ୍ଷତିର ସମୀକ୍ଷା କରିବେ।ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମାଲକାନଗିରିରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ହେଲିକପ୍ଟର ଯୋଗେ ଜିଲ୍ଲାର ବନ୍ୟାଞ୍ଚଳ ବୁଲି ଦେଖିବେ। ତାଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଉପସ୍ଥିତ ରହିବେ ।

ଏହାପରେ ମୁଖ୍ୟମନ୍ତ୍ରୀ ବନ୍ୟା ସ୍ଥିତିର ମୁକାବିଲା ନେଇ ସମୀକ୍ଷା ବୈଠକରେ ଯୋଗଦେବେ । ଏହି ବୈଠକରେ ମାଲକାନଗିରି ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏସ୍‌ପିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ। ତୁରନ୍ତ କ୍ଷୟକ୍ଷତିର ଆକଳନ କରାଯାଇ ଲୋକଙ୍କୁ କ୍ଷତିପୂରଣ ଦେବାକୁ ତ୍ୱରିତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବେ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.