ସମୁଦ୍ର ବେଳାଭୂମିରେ ମଦ ବିକ୍ରି ନିଷ୍ପତ୍ତିକୁ ବିରୋଧ: ଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର

ପୁରୀ : ରାଜ୍ୟ ସରକାର ନୂଆ ଅବକାରୀ ନୀତି ଲାଗୁ କରିଥିବା ବେଳେ ଏହି ନୂଆ ଆଇନର ପ୍ରାବଧାନ ଅନୁଯାୟୀ ଏଣିକି ସମୁଦ୍ର ବେଳାଭୂମିରେ ବିକ୍ରି ହେବ ମଦ। ବେଳାଭୂମିରେ ଛୋଟ ଛୋଟ ଷ୍ଟଲ୍ କରାଯାଇ ବିଚ୍ ସାକ୍ସ ମାଧ୍ୟମରେ ମଦ ବିକ୍ରି ହେବ। ତେବେ ଏହି ନିଷ୍ପତ୍ତିକୁ ବିରୋଧ କରି ପୁରୀର ୪୦ ରୁ ଉର୍ଦ୍ଧ୍ଵ ସଂଗଠନ ଏକତ୍ରିତ ହୋଇ ଆଜି ଶ୍ରୀମନ୍ଦିର ସମ୍ମୁଖରୁ ପଦଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରସ୍ତାବିତ ମଦ ଟୁଙ୍ଗୀ ବିରୁଦ୍ଧରେ ଦାବୀ ପତ୍ର ଦେଇଛନ୍ତି। ଓଡ଼ିଶାରେ ସୁଦୀର୍ଘ ବେଳାଭୂମି ରହିଛି।ରାଜ୍ୟ ସରକାର ପର୍ଯ୍ୟଟନର ଅଭିବୃଦ୍ଧି ପାଇଁ ବିଭିନ୍ନ ନୂଆ ଯୋଜନା ଗ୍ରହଣ କରୁଛନ୍ତି। ତେବେ ବେଳଭୂମିରେ ମଦ ଟୁଙ୍ଗୀ ନେଇ ସାଧାରଣରେ ସୃଷ୍ଟି ହେଉଥିବା ପ୍ରତିକ୍ରିୟା ଓ ଜନମତକୁ ରାଜ୍ୟ ସରକାରଙ୍କୁ ପଠାଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି।
ରାଜ୍ୟରେ ନୂଆ ସରକାର ଆସିବା ପରେ ନୂଆ ଅବକାରୀ ନୀତି ଆସିଛି। ନୂଆ ନୀତି ଅନୁସାରେ ପୁରୀ ସମୁଦ୍ର ବେଳାଭୂମିରେ ମଦ ବିକ୍ରି ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଏହାକୁ କିଛି ମହଲରେ ସ୍ୱାଗତ କରାଯାଉଥିବା ବେଳେ ଅନେକ ଲୋକ ଏବଂ ସଂଗଠନ ଏହାକୁ ବିରୋଧ କରିଆସୁଛନ୍ତି। ବଡ କଥା ହେଉଛି ଗୋଆ ଓ ଥାଇଲାଣ୍ଡ ଢାଞ୍ଚା ଭଳି ପୁରୀ ସମୁଦ୍ର ବେଳା ଭୂମିରେ ମଦ ବାର୍ ଓ ରେସ୍ତୋରାଁ ଖୋଲିବାକୁ ନୂଆ ନୀତିରେ ଲାଗୁ କରାଯାଇଛି । ପୂର୍ବରୁ ଏପରି ଯୋଜନା କରି ଅକଳରେ ପଡିଥିଲେ ପୂର୍ବତନ ବିଜେଡି ସରକାର । ହେଲେ ନୂଆ ସରକାର ପୁଣି ଏହି ବ୍ୟବସ୍ଥାକୁ ଲାଗୁ କରିଛନ୍ତି । ସରକାରଙ୍କର ଏଭଳି ନିଷ୍ପତ୍ତିକୁ ନେଇ ପୁରୀରେ ବିଭିନ୍ନ ମହଲରେ ବିରୋଧ ଆରମ୍ଭ ହୋଇଛି ।