ଆସନ୍ତାକାଲି କଳାଧନ ସମ୍ପର୍କିତ ଏସଆଇଟି ବୈଠକ: ଅଧ୍ୟକ୍ଷତା କରିବେ ଜଷ୍ଟିସ ଅରିଜିତ ପଶାୟତ

କଟକ: ଆସନ୍ତାକାଲି କଳାଧନ ସମ୍ପର୍କିତ ଏସଆଇଟି ବୈଠକ ବସିବାକୁ ଯାଉଛି। ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ କଟକ ସ୍ଥିତ ବାସଭବନରେ ଆସନ୍ତା କାଲି ପୂର୍ବାହ୍ନ ୧୦ଟାରେ ବୈଠକ ବସିବ।ଆଗାମୀ ୧୫ ଦିନ ମଧ୍ୟରେ ଏସଆଇଟି ସର୍ବୋଚ୍ଚ ନ୍ୟାୟାଳୟରେ ନବମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିବାର ଥିବା ବେଳେ ତା ପୂର୍ବରୁ ଏହା ଅନ୍ତିମ ବୈଠକ। ଏହି ବୈଠକରେ ଅଧ୍ୟକ୍ଷତା କରିବା ପାଇଁ ଏସଆଇଟିର ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ଓଡ଼ିଶାରେ ପହଁଚି ସାରିଥିବା ବେଳେ ବୈଠକରେ ଯୋଗ ଦେବା ପାଇଁ ଇଡି ନିର୍ଦ୍ଦେଶକ ରାହୁଲ ନବୀନ ଆଜି ସନ୍ଧ୍ୟାରେ ଓଡ଼ିଶାରେ ପହଞ୍ଚିଛନ୍ତି। ଇଷ୍ଟର୍ଣ୍ଣ ରିଜନର ଏହି ଏସଆଇଟି ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବହୁ ବରିଷ୍ଠ ପଦାଧିକାରୀ ଯୋଗ ଦେବାର ରହିଛି। ଏହା ସହିତ ଗତ ଦୁଇ ମାସରେ ଓଡିଶା ଭିଜିଲାନ୍ସ ଧରିଥିବା କୋଟିପତି ବାବୁମାନଙ୍କ ସମ୍ପର୍କରେ ତଥ୍ୟ ଏସଆଇଟି ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ମାଗିଛନ୍ତି। କଟକସ୍ଥିତ ଜଷ୍ଟିସ ପଶାୟତଙ୍କ ବାସଭବନରେ ପୂର୍ବରୁ ଏକାଧିକ ବୈଠକ ଅନୁଷ୍ଠିତ ହୋଇଥିଲା ବେଳେ ସେଥିରେ ବିଭିନ୍ନ ବିଭାଗର ପଦାଧିକାରୀ ଓ ଓଡ଼ିଶାରେ ଅବସ୍ଥାପିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ପଦାଧିକାରୀ ଯୋଗ ଦେଉଥିଲେ। ବିଶେଷ ଭାବେ ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକରେ ଓ ଓଡ଼ିଶାର କଳାଧନ ସମ୍ପର୍କିତ ଆଲୋଚନା ଏହି ବୈଠକରେ ହେବାର ରହିଛି। ଏସଆଇଟିର ଏହି ବୈଠକରେ ସିବିଆଇ, କଷ୍ଟମ, ଏକସାଇଜ୍, ଆୟକର ବିଭାଗର ଉଚ୍ଚ ଅଧିକାରୀ ଯୋଗ ଦେଉଥିବାର ଜଣାପଡିଛି। ରାଜ୍ୟ ସରକାରଙ୍କ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ, ଭିଜିଲାନ୍ସ ନିର୍ଦ୍ଦେଶକ, କ୍ରାଇମବ୍ରାଞ୍ଚ ଏଡିଜି, ଖଣି ସଚିବ ପ୍ରମୁଖ ମଧ୍ୟ ଯୋଗ ଦେବାର ରହିଛି। ପୂର୍ବରୁ ଅନୁଷ୍ଠିତ ବୈଠକରେ ସମସ୍ତ ବିଭାଗକୁ ରିପୋର୍ଟ ଦାଖଲ କରିବା ପାଇଁ ଏସଆଇଟି ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଦାଖଲ ରିପୋର୍ଟ ପ୍ରସଙ୍ଗରେ ଆଲୋଚନା ହେବା ସହ କଳାଧନ ଗଛିତ କରିବାର ନୂଆ ନୂଆ ତରିକା ସମ୍ପର୍କରେ ଆଲୋଚନା ହେବାର ରହିଛି। ବିଭିନ୍ନ ବିଭାଗ କିଭଳି ଏ ସମ୍ପର୍କରେ ପଦକ୍ଷେପ ନେବେ ଏବଂ ଗତ ଦୁଇ ବର୍ଷ ମଧ୍ୟରେ ବିଭାଗ ଗୁଡିକୁ ମିଳିଥିବା ସଫଳତା ସମ୍ପର୍କରେ ଆଲୋଚନା ହେବାର ରହିଛି।