ସୁଭଦ୍ରା ଯୋଜନା ପାଇଁ SOP ପ୍ରସ୍ତୁତ

ଆସନ୍ତା ସେପ୍ଟେମ୍ବର ୧୭ ତାରିଖରୁ ଲାଗୁ ହେବ ସୁଭଦ୍ରା ଯୋଜନା ଏଥିନିମନ୍ତେ ଆସନ୍ତା କିଛି ଦିନ ମଧ୍ୟରେ ଆସିବ ଏସ୍ଓପି। ମାତ୍ର ଏହା ପୂର୍ବରୁ ସାଧାରଣ ଲୋକଙ୍କ ମତାମତ ସଂଗ୍ରହ କରାଯାଉଛି। ଆବଶ୍ୟକ ସ୍ଥଳରେ ଏସ୍ଓପିରେ ପରିବର୍ତ୍ତନ ବି ହେବ ।’ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏପରି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା।
ଉପମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ, ମହିଳାଙ୍କ ବିକାଶ ପାଇଁ ଏହି ଯୋଜନା ଉଦ୍ଦିଷ୍ଟ। ୫୦% ମହିଳା କିପରି ଅର୍ଥନୈତିକ ସ୍ୱାବଲମ୍ବୀ ହେବେ, ଲକ୍ଷପତି ଦିଦି ହେବେ, ସେମାନଙ୍କ ନିମନ୍ତେ ସୁଭଦ୍ରା ଯୋଜନା ରୋଡମ୍ୟାପ ପ୍ରସ୍ତୁତ କରିବ ବୋଲି ଆଶା ରଖୁଛୁ। ତେଣୁ କିପରି ଅଧିକରୁ ଅଧିକ ମହିଳା ଏହାଦ୍ୱାରା ଉପକୃତ ହେବେ ସେଥିପ୍ରତି ଦୃଷ୍ଟି ଦିଆଯାଉଛି। ଏସ୍ଓପି ପ୍ରସ୍ତୁତ ସରିଛି। ମାତ୍ର ଏହାକୁ ଅଧିକ ତ୍ରୁଟିମୁକ୍ତ ତଥା ଦକ୍ଷ କରିବା ନିମନ୍ତେ ବିଭିନ୍ନ ବର୍ଗର ଲୋକଙ୍କ ମତାମତ ନିଆଯାଉଛି।
ସେ କହିଛନ୍ତି, ମହିଳାଙ୍କୁ ସ୍ୱାବଲମ୍ବୀ କରିବା ସହ ସେମାନଙ୍କୁ ଅର୍ଥନୈତିକ ଭାବେ ସଶକ୍ତ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ। ଏହି ଯୋଜନାକୁ ଲାଗୁ କରିବାକୁ ଆମେ ସଙ୍କଳ୍ପପତ୍ରରେ ଘୋଷଣା କରିଥିଲୁ। ତେଣୁ ତାହାକୁ ଲାଗୁ କରିବା ପୂର୍ବରୁ ବୁଦ୍ଧିଜୀବୀଙ୍କ ମତ ନିଆଯିବ।