thelifelinemedia
Latest Odisha News, Breaking News Today

କୋରାପୁଟରେ ରାଜ୍ୟ ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀ, ନୂଆ ସରକାରର ପ୍ରଥମ ବଜେଟ ବିକଶିତ ଓଡ଼ିିଶାର ମୂଳଦୁଆ ସ୍ଥାପନା କରିଛି : ମନମୋହନ ସାମଲ

କୋରାପୁଟ/ଭୁବନେଶ୍ୱର: ଓଡ଼ିଶାରେ ବିଜେପିର ପ୍ରଥମ ସରକାର ରାଜ୍ୟରେ ଏକ ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠା କରିଛି । ନିର୍ବାଚନ ସଂକଳ୍ପପତ୍ରରେ ବିଜେପି ଯାହା ଯାହା ପ୍ରତିଶ୍ରୁତି ଦେଇଥିଲା, ପ୍ରାୟ ସମସ୍ତ ପ୍ରତିଶ୍ରୁତି ପୂରଣ କରିବା ପାଇଁ ପ୍ରଥମ ବଜେଟ୍‌ରେ ହିଁ ବ୍ୟୟବରାଦ କରି ବିଜେପି ଏକ ନୂତନ ପରମ୍ପରା ସୃଷ୍ଟି କରିଛି । ଗତ ସରକାର ଯେଉଁ ବଜେଟ୍ ପ୍ରସ୍ତୁତ କରୁଥିଲା, ସେଥିରୁ ଚଳିତବର୍ଷ ବଜେଟ୍ ୧୫% ଅଧିକ ବଢ଼ିଛି । ଓଡ଼ିଶାର ବିକାଶ ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଏଥିରୁ ସ୍ପଷ୍ଟ ହୋଇଛି । ନୂଆ ସରକାରର ପ୍ରଥମ ବଜେଟ ବିକଶିତ ଓଡିଶାର ମୂଳଦୁଆ ସ୍ଥାପନା କରିଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଆଜି କୋରାପୁଟରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ସାମଲ କହିଛନ୍ତି, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ “ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ”କୁ ଆଧାର କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ବଜେଟ୍ ଉପସ୍ଥାପନ କରିଛନ୍ତି । ଆର୍ôଥକ ୨୦୨୪-୨୫ ପାଇଁ ମୋଟ ୨ଲକ୍ଷ ୬୫ହଜାର କୋଟି ଟଙ୍କା ବଜେଟ ବ୍ୟବସ୍ଥା କରାଯାଇଛି । ବିଜେପି ସରକାର ପ୍ରଥମ ବଜେଟ୍‌ରେ ଶିକ୍ଷା ଉପରେ ବିଶେଷ ଗୁରୁତ୍ୱ ଦେଇଛି । ସ୍କୁଲ୍ ଡ୍ରପଆଉଟ୍ ବନ୍ଦ କରିବା, ଉପସ୍ଥାପନ ବଢ଼ାଇବା ଓ ସବୁ ସ୍କୁଲ୍‌ରେ ଶିକ୍ଷକ ନିଯୁକ୍ତିକୁ ପ୍ରାଧାନ୍ୟ ଦିଆଯାଇଛି । ତୁରନ୍ତ ୧୬୦୦୦ ଶିକ୍ଷକ ପଦବୀ ପୂରଣ ପାଇଁ ବଜେଟ୍‌ରେ ବ୍ୟବସ୍ଥା କରାଯାଇଛି । ଏହାପରେ ସବୁ ସ୍କୁଲରେ ଯେପରି ଶିକ୍ଷକ ଅଭାବ ଦୂରହେବ ସେଥିପ୍ରତି ଲକ୍ଷ୍ୟ ରଖାଯାଇଛି । ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଉପରେ ବଜେଟ୍‌ରେ ଗୁରତ୍ୱାରୋପ କରାଯାଇଛି । ପିଡିଏସ୍ (ପବ୍ଲିକ ଡିଷ୍ଟିବ୍ୟୁସନ ସିଷ୍ଟମ୍‌)କୁ ତ୍ୱରାନ୍ୱିତ କରିବା ଉପରେ ଜୋର୍ ଦିଆଯାଇଛି । ଓଡ଼ିଶାରେ ୩.୨୫ କୋଟି ଲୋକ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ନେଉଛନ୍ତି । ସେମାନକ ଆର୍ଥିକ ଅଭିବୃଦ୍ଧି ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ । ବଜେଟ୍‌ରେ ଠେଲା ଦୋକାନୀଙ୍କଠାରୁ ଆରମ୍ଭ କରି କ୍ଷୁଦ୍ର ବ୍ୟବସାୟୀ ଓ ଚାଷୀଙ୍କ ବିକାଶ ଉପରେ ବିଶେଷ ଦୃଷ୍ଟି ଦିଆଯାଇଛି । ଏନେଇ ବିଭିନ୍ନ ଯୋଜନା ତ୍ୱରାନ୍ୱିତ କରାଯାଇଛି ।
ଚଳିତ ବଜେଟ୍‌ରେ “କିଶାନ ସମ୍ମାନ ଯୋଜନା” ପାଇଁ ସର୍ବାଧିକ ବ୍ୟବସ୍ଥା କରାଯାଇଛି । ଏଥିରେ ୬ ଲକ୍ଷରୁ ଅଧିକ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ଏଣିକି ଚାଷୀମାନେ ଧାନ କ୍ୱିଂଇଟାଲ ପିଛା ଓଡିଶାରେ ୩୧ଶହ ଟଙ୍କା ପାଇବେ । କେନ୍ଦ୍ରୀୟ ବଜେଟରେ ମଧ୍ୟ ଓଡ଼ିଶାର ଆର୍ଥିକ ସ୍ଥିତିକୁ ମଜବୁତ୍ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । କେନ୍ଦ୍ର ବଜେଟ୍ ଓଡ଼ିଶା ପାଇଁ ଐତିହାସିକ ବଜେଟ୍ ହୋଇଛି । ୧୦ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା କେବଳ ରେଳ ଲାଇନ୍‌ର ବିକାଶ ପାଇଁ କରାଯାଇଛି । ଓଡ଼ିଶାର ସବୁ ଜିଲ୍ଲାରେ ରେଲ୍‌ୱେ ଲାଇନ ହେବ । ସେ ଦୃଷ୍ଟିରୁ ମାଲକାନ୍‌ଗିରି ଜିଲାରେ ଯୁଦ୍ଧକାଳୀନ ଭିତିରେ ରେଳ ଲାଇନ୍ ପାଇଁ ସମ୍ପୂର୍ଣ୍ଣ ବ୍ୟୟବରାଦ କରାଯାଇଛି । ସେହିପରି ମେଟ୍ରୋ ରେଳ ପାଇଁ ୧ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଭିତିଭୂମିର ଅଭିବୃଦ୍ଧି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । କୋରାପୁଟରୁ ଆରମ୍ଭ କରି ଓଡ଼ିଶାର ସବୁ ଅଂଚଳରେ ପର୍ଯ୍ୟଟନକୁ ଅଧିକ ଗୁରୁତ୍ୱ ଦେବା ପାଇଁ ଆମ ସରକାର ସଂକଳ୍ପ ନେଇଛି । ଦେଓମାଳିଠୁ ଆରମ୍ଭ କରି ଗୋପାଳପୁର, ତାଳସାରୀ ପର୍ଯ୍ୟନ୍ତ ସବୁ ଅଂଚଳକୁ ବିକଶିତ କରାଯିବ । ଚିଲିକାକୁ ପର୍ଯ୍ୟଟନ କେନ୍ଦ୍ର କରାଯିବ । ଓଡ଼ିଶାରେ କୋଷ୍ଟାଲ ହାଇୱେ ଘୋଷଣା କରି ଉପକୂଳବର୍ତୀ ଅଂଚଳ ଗୁଡ଼ିକର ବିକାଶ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି । ରାଜ୍ୟ ସରକାର ଯେତେ ମେଡିକାଲ କଲେଜ ଖୋଲିବାକୁ ଆବେଦନ କରିଥିଲେ କେନ୍ଦ୍ର ସେସବୁକୁ ଅନୁମୋଦନ କରିଦେଇଛନ୍ତି । ଆଗାମୀ ଦିନରେ ଓଡ଼ିଶାରେ ଶିଳ୍ପର ଅଭିବୃଦ୍ଧି କରାଯିବ । ଓଡ଼ିଶାର ଯୁବକମାନଙ୍କୁ ଦାଦନ ଖଟିବାକୁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ । ସେମାନେ ଓଡ଼ିଶାରେ ହିଁ କର୍ମସଂସ୍ଥାନ ପାଇପାରିବେ । ବିକଶିତ ଓଡ଼ିଶା ଗଠନର ଏହାର ପ୍ରଥମ ସୋପାନ ହେବ । ସଂକଳ୍ପପତ୍ରରେ ଯାହା ସବୁ ଉଲ୍ଲେଖ ଅଛି ତାହା ଏହି ବଜେଟ୍‌ରେ ପ୍ରତିଫଳନ ହୋଇଛି । ୧୦୦ ଦିନ ମଧ୍ୟରେ ଏହାର କ୍ରିୟାନ୍ୱୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ । ଏଭଳି ଲୋକାଭୁମୁଖୀ ବଜେଟ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଶ୍ରୀ ସାମଲ ଧନ୍ୟବାଦ ଦେଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ରୁପୁ ଭତ୍ରା, ବିଧାୟକ ରଘୁରାମ ମାଛ, ରାଜ୍ୟ ସାଧାରଣ ସମ୍ପାଦକ ପୂର୍ଣ୍ଣିମା କେର୍‌କେଟା, ରାଜ୍ୟ ସମ୍ପାଦକ ପୂର୍ଣ୍ଣମା ନାୟକ, ଜନସୂଚିତ ଜାତି ଓ ଜନଜାତିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କାଳିରାମ ମାଝି, କୋରାପୁଟ୍ ଜିଲା ସଭାପତି ସୁମନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.