thelifelinemedia
Latest Odisha News, Breaking News Today

ଆଜି ନୀଳକନ୍ଦରକୁ ବିଜେ କରିବେ ମହାପ୍ରଭୁ..ନବଦିନାତ୍ମକ ଯାତ୍ରାର ଆଜି ଶେଷ ଦିନ

ପୁରୀ:ଜନ୍ମବେଦୀରେ ଲୀଳାଖେଳା ସରିବା ପରେ ଆଜି ପୁର୍ନବାର ନୀଳକନ୍ଦରକୁ ବିଜେ କରିବେ ମହାପ୍ରଭୁ। ନବଦିନାତ୍ମକ ଯାତ୍ରା ଶେଷ କରି ଆଜି ରତ୍ନସିଂହାସନରେ ବିରାଜିତ ହେବେ କାଳିଆ ସାଆନ୍ତେ। ଆଜି ହେଉଛି ମହାପ୍ରଭୁଙ୍କ ପତିତପାବନ ଯାତ୍ରାର ଶେଷ ଦିନ ଯାହାକୁ ନୀଳାଦ୍ରୀବିଜେ କୁହଯାଏ। ଗୋଟି ପହଣ୍ଡିରେ ରଥରୁ ଓହ୍ଲାଇ ସେବକଙ୍କ ଗହଣରେ ଶ୍ରୀମନ୍ଦିର ଯିବେ ଚତୁର୍ଦ୍ଧାବିଗ୍ରହ। ସେଥିପାଇଁ ସେବାୟତ ମାନଙ୍କ ସହ ସମନ୍ୱୟ ରକ୍ଷାକରି ନୀତିକାନ୍ତି ମଧ୍ୟ ଚୂଡାନ୍ତ ହୋଇଛି। ସକାଳୁ ରଥ ଉପରେ ମହାପ୍ରଭୁଙ୍କ ମଙ୍ଗଳଆଳତୀ,ମଇଲମ,ସକାଳଧୂପ, ମଧ୍ୟାହ୍ନ ଧୂପ,ସଂଧ୍ୟା ଆଳତୀ ଓ ସଂଧ୍ୟାଧୂପ ଶେଷହେବା ପରେ ଚାରମାଳ ବନ୍ଧାଯାଇ ଆରମ୍ଭ ହେବ ମହାପ୍ରଭୁଙ୍କ ଗୋଟି ପହଣ୍ଡି। ଅପରାହ୍ନ ୪ଟାରେ ପହଣ୍ଡି ଆରମ୍ଭ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ସ୍ଥିର କରିଥିବା ବେଳେ ରାତି ୧୦ଟାରେ ପହଣ୍ଡି ଶେଷ ହେବ ବୋଲି କୁହାଯାଇଛି। ତେବେ ରଥଯାତ୍ରା ଠାରୁ ଆରମ୍ଭ କରି ବାହୁଡାଯାତ୍ରା ପର୍ଯ୍ୟନ୍ତ ଅନେକ ସମୟରେ ନୀତିକାନ୍ତି ନିର୍ଦ୍ଧାରିତ ସମୟର ପୂର୍ବରୁ ଅନୁଷ୍ଠିତ ହୋଇଥିବାରୁ ଆଜି ମଧ୍ୟ ନୀତି ସଅଳ ହେବ ବୋଲି ଅନୁମାନ କରାଯାଉଛି। ତେବେ ଆଜି ଅଭିମାନୀନି ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବେ ମହାପ୍ରଭୁ। ନୀଳାଦ୍ରୀବିଜେ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି। ସେପଟେ ପହଣ୍ଡି ଶେଷ ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ରୁନ୍ଧା ହେବାସହ ଦଇତିପତି ସର୍ବାଙ୍ଗ, ଶ୍ରୀମୁଖ ଖଣ୍ଡୁଆ,ବଡସିଂହାର ବେଶ,ବଡସିଂହାର ଭୋଗ କରାଯାଇ ପହୁଡ କରାଯିବ।

Leave A Reply

Your email address will not be published.